ନ୍ୟୁଜ ଡେକ୍ସ :ଆଧାର ବ୍ୟବହାରକାରୀଙ୍କ ପାଇଁ ଆଉ OTP ନେଇ ଚିନ୍ତା ରହିବ ନାହିଁ। UIDAI ପକ୍ଷରୁ ନୂଆ ଆଧାର ଆପ୍ ଓ ଅଫଲାଇନ୍ KYC ପ୍ରଣାଳୀ ଆଣାଯାଇଛି, ଯାହା ଦ୍ୱାରା KYC ପ୍ରକ୍ରିୟାକୁ ଆହୁରି ସହଜ ଓ ସୁରକ୍ଷିତ କରାଯାଇଛି।ନୂତନ ବ୍ୟବସ୍ଥା ଅନୁଯାୟୀ, ଏବେ ବ୍ୟବହାରକାରୀମାନେ ଆଧାର ନମ୍ବର ସିଧାସଳଖ ସେୟାର କରିବା ବା ଫିଜିକାଲ୍ କାର୍ଡ ଦେଖାଇବା ବିନା KYC ସମ୍ପୂର୍ଣ୍ଣ କରିପାରିବେ।
ଅଫଲାଇନ୍ KYC ପ୍ରକ୍ରିୟା ମାଧ୍ୟମରେ ଏକ ସୁରକ୍ଷିତ ଡିଜିଟାଲ୍ ଫାଇଲ୍ କିମ୍ବା QR କୋଡ୍ ବ୍ୟବହାର କରି ତଥ୍ୟ ସେୟାର କରାଯାଏ। ଏଥିରେ ବ୍ୟକ୍ତି ନିଜେ ନିଷ୍ପତ୍ତି ନେଇପାରିବେ କେଉଁ ତଥ୍ୟ ସେୟାର କରିବେ।ଏହି ପ୍ରଣାଳୀରେ OTP କିମ୍ବା ମୋବାଇଲ୍ ନେଟୱାର୍କର ଆବଶ୍ୟକତା ନଥାଏ, ସେଥିପାଇଁ ଏହାକୁ ଅଫଲାଇନ୍ KYC କୁହାଯାଏ। ସେହିପରି, ଫିଙ୍ଗରପ୍ରିଣ୍ଟ କିମ୍ବା ଆଇରିସ୍ ସ୍କାନ ଭଳି ବାୟୋମେଟ୍ରିକ୍ ପ୍ରମାଣୀକରଣ ମଧ୍ୟ ଦରକାର ପଡ଼େନି। UIDAI ଏହାକୁ ଟ୍ୟାମ୍ପର-ପ୍ରୁଫ୍ ଭାବରେ ଡିଜାଇନ୍ କରିଥିବାରୁ ଡିଜିଟାଲ୍ ଫାଇଲ୍ ସୁରକ୍ଷିତ ଓ ବୈଧ ରହେ। ଅଫଲାଇନ୍ KYC ପାଇଁ ବ୍ୟବହାରକାରୀମାନେ UIDAIର ଅଧିକୃତ ୱେବସାଇଟ୍ myaadhaar.uidai.gov.in କୁ ଯାଇ ଲଗଇନ୍ କରିପାରିବେ।
ତାପରେ ଡ୍ୟାସବୋର୍ଡରେ ଥିବା ଅଫଲାଇନ୍ e-KYC ବିକଳ୍ପକୁ ଚୟନ କରି ୪ ଅଙ୍କର ସେୟାର କୋଡ୍ ସୃଷ୍ଟି କରିବାକୁ ପଡିବ। ଏହା ପରେ ଏକ .zip ଫାଇଲ୍ ଡାଉନଲୋଡ୍ ହେବ, ଯାହାକୁ ଆବଶ୍ୟକ ସଂସ୍ଥାଙ୍କୁ ସେୟାର କରି KYC ପୂରଣ କରାଯାଇପାରିବ।ତେବେ ଏହି ପ୍ରକ୍ରିୟା ବ୍ୟବହାର ସମୟରେ କିଛି ସତର୍କତା ରଖିବା ଆବଶ୍ୟକ। ୪ ଅଙ୍କର ସେୟାର କୋଡ୍ କେବଳ ବିଶ୍ୱସନୀୟ ସଂସ୍ଥାଙ୍କୁ ଦିଅନ୍ତୁ। ଡାଉନଲୋଡ୍ ହୋଇଥିବା .zip ଫାଇଲ୍ରେ କୌଣସି ପରିବର୍ତ୍ତନ କରିବେନି ଏବଂ KYC ପାଇଁ ସବୁବେଳେ ନୂତନ ଫାଇଲ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।ଏହି ନୂତନ ବ୍ୟବସ୍ଥା ଦ୍ୱାରା ଆଧାର ତଥ୍ୟର ସୁରକ୍ଷା ବଢ଼ିବା ସହ KYC ପ୍ରକ୍ରିୟା ଆହୁରି ସରଳ ହେବ ବୋଲି ମନେ କରାଯାଉଛି।

