Thu. Jun 4th, 2026

ନ୍ୟୁଜ ଡେକ୍ସ : ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷାକୁ ଆଉ ଶକ୍ତିଶାଳୀ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ନୂଆ ‘ଉଇ କେୟାର ସାଥି’ ଆପ୍ ଲଞ୍ଚ କରାଯାଇଛି। ଜରୁରୀ ସମୟରେ ତୁରନ୍ତ ପୋଲିସ ସହଯୋଗ ପାଇବାକୁ ଏହି ଆପ୍‌କୁ ଡିଜିଟାଲ୍ ସୁରକ୍ଷା ଢାଲ୍ ଭାବେ ପ୍ରସ୍ତୁତ କରାଯାଇଛି।ଏହି ଆପ୍‌ ମାଧ୍ୟମରେ ବିପଦରେ ପଡ଼ିଥିବା ମହିଳା କିମ୍ବା ସାଧାରଣ ଲୋକ କେବଳ କିଛି ସେକେଣ୍ଡ ମଧ୍ୟରେ ପୋଲିସକୁ ଆଲର୍ଟ ପଠାଇପାରିବେ।

ଘଟଣାସ୍ଥଳର ଫଟୋ, ଭିଡିଓ ଓ ଲାଇଭ୍ ଲୋକେସନ୍ ସିଧାସଳଖ ERSS କଣ୍ଟ୍ରୋଲ ରୁମକୁ ପହଞ୍ଚିବାର ବ୍ୟବସ୍ଥା ଥିବାରୁ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ସହଜ ହେବ।ଆପ୍‌ର ଅଫିସିଆଲ୍ ଲଞ୍ଚ କରି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ପୋଲିସ ସବୁବେଳେ ଫ୍ରଣ୍ଟ ଲାଇନ୍‌ରେ ରହି ଲୋକଙ୍କ ସୁରକ୍ଷା ପାଇଁ କାମ କରିବ। ସେ କହିଛନ୍ତି, ପୂର୍ବରୁ ପୋଲିସ ରେସ୍ପନ୍ସ ଟାଇମ୍ ୧୨ ମିନିଟ୍ ଥିବାବେଳେ ବର୍ତ୍ତମାନ ଏହାକୁ ୭ ମିନିଟ୍‌ରେ ଆଣିବାରେ ସଫଳତା ମିଳିଛି।ଆପ୍‌ରେ ରହିଛି ଅନେକ ସ୍ମାର୍ଟ ସୁବିଧା। SOS ବଟନ୍‌କୁ ଥରେ ଟ୍ୟାପ୍ କଲେ ଫୋନ୍ କ୍ୟାମେରା ସ୍ୱୟଂଚାଳିତ ଭାବେ ୩ଟି ଫଟୋ ଉଠାଇଥାଏ। ଉପଭୋକ୍ତାଙ୍କ GPS ଲୋକେସନ୍ ସହ ଏହି ଫଟୋଗୁଡ଼ିକ ସିଧାସଳଖ ପୋଲିସ କଣ୍ଟ୍ରୋଲ ରୁମକୁ ପଠାଯାଏ।ଫଟୋ ଉଠିବା ପରେ ଆପ୍ ସ୍ୱୟଂଚାଳିତ ଭାବେ ଫୋନ୍‌ର ଡାଏଲପ୍ୟାଡ୍‌କୁ ୧୧୨ ନମ୍ବରକୁ ନେଇଯାଏ।

ଏଥିରେ ଉପଭୋକ୍ତା ପୋଲିସ କିମ୍ବା ଅନ୍ୟ ଜରୁରୀକାଳୀନ ସେବା ସହ ସିଧାସଳଖ କଥା ହୋଇପାରିବେ। କଲ୍ ସରିବା ପରେ ଏହା ଏକ କ୍ଷୁଦ୍ର ଭିଡିଓ ରେକର୍ଡ କରି ପଠାଇବାର ବିକଳ୍ପ ମଧ୍ୟ ଦେଇଥାଏ।ଏହି ଆପ୍‌କୁ ଗୁଗଲ ପ୍ଲେ ଷ୍ଟୋର ମାଧ୍ୟମରେ “We Care – Saathi” ନାମରେ ଆଣ୍ଡ୍ରଏଡ୍ ଫୋନ୍‌ରେ ଡାଉନଲୋଡ୍ କରାଯାଇପାରିବ। ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ତିଆରି ହୋଇଥିବା ଏହି ସ୍ମାର୍ଟ ଆପ୍ ଆଗାମୀ ଦିନରେ ଟ୍ୱିନ୍ ସିଟିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *