ନ୍ୟୁଜ ଡେକ୍ସ : ପୂର୍ବତନ ଭାରତୀୟ ଟେନିସ୍ ତାରକା ଲିଆଣ୍ଡର ପେସଙ୍କ ବାସଭବନକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଗସ୍ତ କରିଛନ୍ତି। ଲିଆଣ୍ଡର ପେସଙ୍କ ମାଆ ଜେନିଫର୍ ପେସଙ୍କ ଦେହାନ୍ତ ପରେ ଶୋକ ବ୍ୟକ୍ତ କରିବା ସହ ସମବେଦନା ଜଣାଇବା ପାଇଁ ସେ କୋଲକାତାସ୍ଥିତ ପେସ ପରିବାରର ବାସଭବନକୁ ଯାଇଥିଲେ।
ଡ. ଅଚ୍ୟୁତ ସାମନ୍ତ ଲିଆଣ୍ଡର ପେସ ଓ ତାଙ୍କ ପରିବାରବର୍ଗଙ୍କୁ ଭେଟି ଜେନିଫରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ। ସେ ଦିବଙ୍ଗତ ଜେନିଫର ପେସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ଜୀବନ ସଂଘର୍ଷ, ତ୍ୟାଗ ଓ ପରିବାର ଗଠନରେ ଅବଦାନକୁ ସ୍ମରଣ କରିଥିଲେ।ଗତ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ଆର୍ଟ ଅଫ୍ ଗିଭିଂ ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସିଥିଲେ ଲିଆଣ୍ଡର ପେସ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ତାଙ୍କ ମାଆଙ୍କ ଦେହାନ୍ତ ନେଇ ଦୁଃଖଦ ଖବର ପାଇଥିଲେ।
ତଥାପି ସେହି ପରିସ୍ଥିତିରେ ମଧ୍ୟ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତି ସମ୍ମାନ ଓ ଆର୍ଟ ଅଫ୍ ଗିଭିଂ ପ୍ରତି ନିଜର ଭାବନାକୁ ଗୁରୁତ୍ୱ ଦେଇ ସ୍ୱଳ୍ପ ସମୟ ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ପରେ ସେ ତୁରନ୍ତ କୋଲକାତା ଫେରିଯାଇଥିଲେ। ଏହି ଘଟଣା ପରେ ଡ. ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ କୋଲକାତା ଯାଇ ପେସ ପରିବାର ସହ ଭେଟି ତାଙ୍କ ଶୋକରେ ସାମିଲ ହୋଇଥିଲେ। ଏହି ସାକ୍ଷାତକାର କେବଳ ଔପଚାରିକ ସମବେଦନା ନୁହେଁ, ବରଂ ଦୀର୍ଘଦିନର ସମ୍ପର୍କ, ପାରସ୍ପରିକ ସମ୍ମାନ ଓ ମାନବିକତାର ଏକ ଉଦାହରଣ ବୋଲି କୁହାଯାଉଛି।

