ନ୍ୟୁଜ ଡେକ୍ସ : ଭୁବନେଶ୍ୱର, ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖରେ ଶେଷ ହେବ। ଏନେଇ ବୋର୍ଡ ପକ୍ଷରୁ ବୁଧବାର ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
କେବଳ ଗଣିତ ବିଷୟରେ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ।ସୂଚୀ ଅନୁସାରେ ଜୁଲାଇ ୨ରେ ପ୍ରଥମ ଭାଷା ଓଡ଼ିଆ, ୪ରେ ଦ୍ବିତୀୟ ଭାଷା ଇଂରାଜୀ, ୬ରେ ଗଣିତ, ୮ରେ ବିଜ୍ଞାନ, ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ହେବ।
ଅନ୍ୟପକ୍ଷରେ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଦ୍ବିତୀୟ) ପରୀକ୍ଷା ପାଇଁ ମଧ୍ୟ ସୂଚୀ ପ୍ରକାଶ ପାଇଛି। ଜୁଲାଇ ୨ରେ ମାତୃଭାଷା, ୩ରେ ପେଣ୍ଟିଂ, ୪ରେ ଇଂରାଜୀ, ୬ରେ ଗଣିତ, ୭ରେ ହୋମ ସାଇନ୍ସ, ୮ରେ ବିଜ୍ଞାନ, ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ।

