ନ୍ୟୁଜ ଡେକ୍ସ : ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆପରେଣ୍ଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ (ଏଇଡିପି) ପାଇଁ ମଧ୍ୟ ଆବେଦନ ଗ୍ରହଣ ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆସନ୍ତା ଜୁନ୍ ୧୦, ୨୦୨୬ ପର୍ଯ୍ୟନ୍ତ ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ।
+୨ ପାସ୍ କରିଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ପାଇବେ।ଚଳିତ ଶିକ୍ଷାବର୍ଷରେ ମୋଟ ୧୧ଟି ବିଷୟରେ ଆପରେଣ୍ଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ ଉପଲବ୍ଧ ରହିଛି। ଏଥିରେ ବାଣିଜ୍ୟ, ଗୃହ ବିଜ୍ଞାନ, ଅର୍ଥନୀତି, ଇତିହାସ, ଇଂରାଜୀ, ପ୍ରାଣୀ ବିଜ୍ଞାନ, ଗଣିତ, ଗ୍ରନ୍ଥାଗାର ବିଜ୍ଞାନ, ରସାୟନ ବିଜ୍ଞାନ, ଭୂତତ୍ତ୍ୱ ବିଜ୍ଞାନ ଏବଂ ଉଦ୍ଭିଦ ବିଜ୍ଞାନ ଭଳି ବିଷୟ ସାମିଲ ରହିଛି। ଏହି ପାଠ୍ୟକ୍ରମର ବିଶେଷତ୍ୱ ହେଉଛି, ଛାତ୍ରଛାତ୍ରୀମାନେ ସାଧାରଣ ଶିକ୍ଷା ସହିତ ଶିଳ୍ପ କ୍ଷେତ୍ରର ବ୍ୟବହାରିକ ଅଭିଜ୍ଞତା ମଧ୍ୟ ହାସଲ କରିପାରିବେ।
ଏହା ଦ୍ୱାରା ପାଠପଢ଼ା ସହ ଦକ୍ଷତା ବିକାଶ ହେବା ସହ ଭବିଷ୍ୟତରେ ନିଯୁକ୍ତି ସୁଯୋଗ ମଧ୍ୟ ବଢ଼ିବ।ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ଏହି ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ତୃତୀୟ ବର୍ଷରେ ଏକ ବର୍ଷ ପାଇଁ ଆପରେଣ୍ଟିସିପ୍ ସୁଯୋଗ ପ୍ରଦାନ କରାଯିବ। ଏହି ସମୟରେ ସେମାନଙ୍କୁ ଷ୍ଟାଇପେଣ୍ଡ ବା ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ।ଶିକ୍ଷା ଓ କାର୍ଯ୍ୟାନୁଭୂତିର ସମନ୍ୱୟ ମାଧ୍ୟମରେ ଯୁବପିଢ଼ିଙ୍କୁ ଅଧିକ ଦକ୍ଷ ଓ ନିଯୁକ୍ତିଯୋଗ୍ୟ କରିବା ଲକ୍ଷ୍ୟରେ ଏହି ଆପରେଣ୍ଟିସିପ୍ ଏମ୍ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

