ନ୍ୟୁଜ ଡେକ୍ସ : ରାଜ୍ୟରେ ପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଥିବା ବେଳେ ଆଜି ସମଗ୍ର ଓଡ଼ିଶା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ୧୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କେତେକ ଅଞ୍ଚଳରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ଏବଂ ଝଡ଼ୋ ପବନର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଓ ଅନୁଗୋଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହାସହ କିଛି ସ୍ଥାନରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।ଅନ୍ୟପଟେ ଗରମ ଓ ଗୁଳୁଗୁଳି ଯୋଗୁଁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ସତର୍କତା ଜାରି କରାଯାଇଛି। ଉଚ୍ଚ ଆର୍ଦ୍ରତା କାରଣରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବାର ଆଶଙ୍କା ରହିଛି। ଆସନ୍ତାକାଲି ମଧ୍ୟ ସମଗ୍ର ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ବିଶେଷକରି ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଲାଗି ରହିବ।
ଏହାର ପ୍ରଭାବରେ ଆସନ୍ତା ତିନି ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ, ଯାହା ଗ୍ରୀଷ୍ମ ପ୍ରବାହରୁ କିଛିଟା ଆଶ୍ୱସ୍ତି ଦେବ।ତେବେ ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ଏବେ ବି ଜାରି ରହିବ। ଆସନ୍ତା ଦୁଇ ଦିନ ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ନୂଆପଡ଼ା ଏବଂ ବରଗଡ଼ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୨ରୁ ୪୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ ବଜ୍ରପାତ ଓ ପ୍ରବଳ ପବନ ସମୟରେ ଖୋଲା ସ୍ଥାନରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ଆବଶ୍ୟକ ନଥିଲେ ବାହାରକୁ ନ ଯିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛି।

