ନ୍ୟୁଜ ଡେକ୍ସ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ନୂଆ ସୂଚନା ଜାରି କରିଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ବାୟୁ କେରଳ ଏବଂ ତାମିଲନାଡୁର କିଛି ଅଞ୍ଚଳରେ ପହଞ୍ଚିପାରେ ବୋଲି ଆଇଏମଡି ଆଶା ପ୍ରକାଶ କରିଛି। ଏଥିପାଇଁ ବର୍ତ୍ତମାନ ପାଗ ପରିସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଆଇଏମଡିର ସଦ୍ୟତମ ମୌସୁମୀ ବୁଲେଟିନରେ ଉଲ୍ଲେଖ କରାଯାଇଛି।ସାଧାରଣତଃ ପ୍ରତିବର୍ଷ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳରେ ପ୍ରବେଶ କରିଥାଏ।
ଚଳିତବର୍ଷ ଏହା ମେ’ ୨୬ ତାରିଖରେ କେରଳରେ ପହଞ୍ଚିବ ବୋଲି ପୂର୍ବରୁ ଆଇଏମଡି ପୂର୍ବାନୁମାନ କରିଥିଲା। ତେବେ ପରବର୍ତ୍ତୀ ସମୟରେ ପାଗ ପରିସ୍ଥିତିର ପରିବର୍ତ୍ତନ ଯୋଗୁଁ ସେହି ଆକଳନ ସଠିକ୍ ପ୍ରମାଣିତ ହୋଇନଥିଲା।ଏବେ ନୂତନ ପାଗ ବିଶ୍ଳେଷଣ ଆଧାରରେ ମୌସୁମୀର ଅଗ୍ରଗତିକୁ ନେଇ ପାଣିପାଗ ବିଭାଗ ପୁଣିଥରେ ଆଶାବାଦୀ ମତ ପ୍ରକାଶ କରିଛି। ମୌସୁମୀ ବାୟୁ କେରଳରେ ପ୍ରବେଶ କରିବା ପରେ ଏହା ଧୀରେ ଧୀରେ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ଅଗ୍ରସର ହେବ।
ବର୍ଷା ଉପରେ ନିର୍ଭରଶୀଳ ଚାଷ କାର୍ଯ୍ୟ ପାଇଁ ମୌସୁମୀ ବାୟୁର ଆଗମନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଚାଷୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ଏବେ ମୌସୁମୀର ଆଗମନ ଉପରେ ରହିଛି। ଭଲ ବର୍ଷା ହେଲେ କୃଷି ଉତ୍ପାଦନ ବୃଦ୍ଧି ସହ ଜଳ ସଙ୍କଟରୁ ମଧ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

