ନ୍ୟୁଜ ଡେକ୍ସ: ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି ହିନ୍ଦୁ ଶାସ୍ତ୍ର ଅନୁସାରେ ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ।
ଏନେଇ ସ୍ୱର୍ଗଦ୍ୱାର କମିଟି ସହ ଆଲୋଚନା ଚାଲିଛି। ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗୋଶାଳା କରିଥିବା ବ୍ୟକ୍ତିଙ୍କ ସହ ଆଲୋଚନା ମଧ୍ୟ କରାଯିବ। ପରେ ଏନେଇ ଖୁବଶୀଘ୍ର ପଦକ୍ଷେପ ସରକାର ନେବେ ବୋଲି ସେ କହିଛନ୍ତି। ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ ବର୍ତ୍ତମାନ ସ୍ୱର୍ଗଦ୍ୱାର ପରିଚାଳନା କରୁଥିବା କମିଟି ସହ ଆଲୋଚନା କରାଯିବ ଏବଂ ସେହି ଅନୁଯାୟୀ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ।
ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ। ଏହି କମିଟି ଗୋ ସୁରକ୍ଷା ଓ ଗୋମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାର ବିମର୍ଶ କରିବ। ତେବେ ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ କାମଧେନୁ ଯୋଜନା ଆରମ୍ଭ ହୋଇଛି।