Mon. Jun 15th, 2026

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିତିଥିବା ୧୨ ବର୍ଷ ଦେଶରେ ସେବା, ସୁଶାସନ ଓ ଗରିବ କଲ୍ୟାଣର ଏକ ସଫଳ ଅଧ୍ୟାୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଭୋପାଳ ଗସ୍ତ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମତ ପ୍ରକାଶ କରିଛନ୍ତି। ସେ ‘ଆତ୍ମନିର୍ଭର ମହିଳା ସମ୍ମାନ’ ଓ ‘ବିକଶିତ ଭାରତ ସଂକଳ୍ପ’ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ।ଶ୍ରୀ ପ୍ରଧାନ କହିଥିଲେ ଯେ, ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ୧୨ ବର୍ଷର ଏହି ଯାତ୍ରାରେ ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କୁ ପ୍ରାଥମିକତା ଦିଆଯାଇଛି।

ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ଜନଧନ ଯୋଜନା, ଲକ୍ଷପତି ଦିଦି, କୃଷକ ସମ୍ମାନ ନିଧି ଓ ଆୟୁଷ୍ମାନ ଭାରତ ଭଳି ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ଉପକୃତ ହୋଇଛନ୍ତି।ଆତ୍ମନିର୍ଭର ମହିଳା ସମ୍ମାନ କାର୍ଯ୍ୟକ୍ରମରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ଲକ୍ଷପତି ଦିଦିମାନଙ୍କ ସହ ଆଲୋଚନା କରିଥିଲେ। ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ବୁଲି ଦେଖି ସେମାନଙ୍କ ପରିଶ୍ରମ, ପ୍ରତିଭା ଓ ଆତ୍ମବିଶ୍ୱାସର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ, ଆଜିର ନାରୀଶକ୍ତି କୌଶଳ ଓ ନବସୃଜନ ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି। ମହିଳାଙ୍କ ଶିକ୍ଷା ଓ କୌଶଳ ବିକାଶକୁ ଆହୁରି ମଜବୁତ କରିବା ପାଇଁ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ ମିଶି ନୂତନ ପଦକ୍ଷେପ ଆରମ୍ଭ କରାଯିବ ବୋଲି ଶ୍ରୀ ପ୍ରଧାନ ଘୋଷଣା କରିଥିଲେ। ଏହା ସହିତ ପରିଚାଳନା ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ, ଯାହାଦ୍ୱାରା ମହିଳାମାନଙ୍କୁ ଉଦ୍ୟମିତା ଓ ପରିଚାଳନା କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରିବ।ଭୋପାଳ ମହାନଗର ନିଗମର ନବନିର୍ମିତ ମୁଖ୍ୟାଳୟରେ ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରି ସେ ସହରରେ ପାଇପ୍ ମାଧ୍ୟମରେ ପ୍ରାକୃତିକ ଗ୍ୟାସର ବ୍ୟବହାର ବଢ଼ାଇ ପରିବେଶ ସୁରକ୍ଷା ଓ ଶକ୍ତି ସଞ୍ଚୟ ଦିଗରେ କାମ କରିବାକୁ ଆହ୍ୱାନ ଦେଇଥିଲେ।

ଗସ୍ତ ଅବସରରେ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡାକ୍ତର ମୋହନ ଯାଦବଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ବୈଠକରେ ଶିକ୍ଷା, ଦକ୍ଷତା ବିକାଶ ଓ ଯୁବ ସଶକ୍ତୀକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଯୁବ ପ୍ରତିଭାମାନଙ୍କୁ ନୂଆ ସୁଯୋଗ ପ୍ରଦାନ କରି ରାଷ୍ଟ୍ର ନିର୍ମାଣରେ ସହଭାଗୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ। ଶେଷରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, “ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ”ର ମନ୍ତ୍ର ସହ ଭାରତ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣ ଦିଗରେ ଦୃଢ଼ତାର ସହ ଅଗ୍ରସର ହେଉଛି ଏବଂ ଦେଶର ପ୍ରଗତିରେ ନାରୀଶକ୍ତିର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

Leave a Reply

Your email address will not be published. Required fields are marked *