Mon. Jun 15th, 2026

ନ୍ୟୁଜ ଡେକ୍ସ : ଫ୍ରାନ୍ସର ନାଇସ୍ ସହରସ୍ଥିତ ପାଲାଇସ୍ ଡେସ୍ ଏକ୍ସପୋଜିସନ୍ସରେ ରବିବାର ‘ଭାରତ ଇନୋଭେଟ୍ସ ୨୦୨୬’ କାର୍ଯ୍ୟକ୍ରମର ମିଳିତ ଭାବେ ଉଦଘାଟନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍। ତିନି ଦିନିଆ ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମ ଭାରତର ଡିପ୍-ଟେକ୍ ଷ୍ଟାର୍ଟଅପ୍, ନବସୃଜନକାରୀ, ଗବେଷକ ଓ ନିବେଶକମାନଙ୍କୁ ବିଶ୍ୱସ୍ତରୀୟ ନବସୃଜନ ପରିବେଶ ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି।

ଏହି ପ୍ରଦର୍ଶନୀରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରର ୧୨୦ରୁ ଅଧିକ ଉନ୍ନତ ଷ୍ଟାର୍ଟଅପ୍ ଏବଂ ୨୦ରୁ ଅଧିକ ଉତ୍କର୍ଷ ପ୍ରତିଷ୍ଠାନ ଅଂଶଗ୍ରହଣ କରିଛନ୍ତି। ସେହିପରି ବିଶ୍ୱର ୩୫୦ରୁ ଅଧିକ ଅଗ୍ରଣୀ ନିବେଶକ ଓ ଭେଞ୍ଚର କ୍ୟାପିଟାଲିଷ୍ଟ ଏହି ଆୟୋଜନରେ ସାମିଲ ହୋଇଛନ୍ତି।ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ଓ ଫ୍ରାନ୍ସ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ସମାଧାନ ପାଇଁ ଦୃଢ଼ ଅଂଶୀଦାର ଭାବେ କାର୍ଯ୍ୟ କରୁଛନ୍ତି। ସେ ଅନ୍ତର୍ଜାତୀୟ ସୌର ମେଣ୍ଟ, କୃତ୍ରିମ ବୁଦ୍ଧିମତ୍ତା ଓ ଭାରତ-ପ୍ରଶାନ୍ତ ଅଞ୍ଚଳର ସ୍ଥିରତା ଏବଂ ସୁରକ୍ଷା କ୍ଷେତ୍ରରେ ଉଭୟ ଦେଶର ସହଯୋଗକୁ ବିଶେଷ ଭାବେ ଉଲ୍ଲେଖ କରିଥିଲେ।ପ୍ରଧାନମନ୍ତ୍ରୀ ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ଷ୍ଟାର୍ଟଅପ୍ ବିପ୍ଳବ ଉପରେ ଆଲୋକପାତ କରି ଗ୍ରାମୀଣ ବିକାଶ ପାଇଁ ଏଆଇ ଓ ସାଟେଲାଇଟ୍ ପ୍ରଯୁକ୍ତିର ବ୍ୟବହାର, ସ୍ୱଚ୍ଛ ବିକାଶ ପାଇଁ ସବୁଜ ହାଇଡ୍ରୋଜେନ୍, ବ୍ୟାଟେରୀ ପ୍ରଯୁକ୍ତି ଏବଂ ବୈଦ୍ୟୁତିକ ଗତିଶୀଳତାର ସମ୍ଭାବନା ଉପରେ ଗୁରୁତ୍ୱ ଦେଇଥିଲେ।

ସେ କହିଥିଲେ ଯେ ଡିଜିଟାଲ୍ ଯୁଗର ପ୍ରଯୁକ୍ତି ବିପ୍ଳବ ମାନବଜାତି ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି।ଷ୍ଟାର୍ଟଅପ୍‌ଗୁଡ଼ିକର ସଫଳତାକୁ କେବଳ ବଜାର ମୂଲ୍ୟାଙ୍କନ ଦ୍ୱାରା ନୁହେଁ, ବରଂ ମାନବ ସମାଜ ଉପରେ ସେମାନଙ୍କର ପ୍ରଭାବ ଆଧାରରେ ମଧ୍ୟ ଆକଳନ କରାଯିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ। ନବସୃଜନକାରୀ, ନିବେଶକ ଓ ଉଦ୍ୟୋଗୀମାନଙ୍କୁ ନିର୍ଭରଯୋଗ୍ୟ, ସମାବେଶୀ ଏବଂ ମାନବ-କେନ୍ଦ୍ରିକ ପ୍ରଯୁକ୍ତି ବିକାଶ କରିବାକୁ ସେ ଆହ୍ୱାନ ଜଣାଇଥିଲେ।କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ସେମିକଣ୍ଡକ୍ଟର, ଜୈବ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ମହାକାଶ, ସ୍ୱାସ୍ଥ୍ୟସେବା, ମେଡ୍-ଟେକ୍, ଉନ୍ନତ ସାମଗ୍ରୀ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ ଷ୍ଟାର୍ଟଅପ୍ ଓ ନବସୃଜନକାରୀଙ୍କ ସହ ମତବିନିମୟ କରିଥିଲେ।

ପରେ ଉଭୟ ନେତା ପ୍ରଦର୍ଶନୀ ପରିଦର୍ଶନ କରି ବିଭିନ୍ନ ଷ୍ଟାର୍ଟଅପ୍‌ର ଉଦ୍ଭାବନକୁ ଅବଲୋକନ କରିଥିଲେ। ‘ଭାରତ ଇନୋଭେଟ୍ସ ୨୦୨୬’ ଭାରତକୁ ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ଦିଗରେ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସେହିପରି ବିକଶିତ ଭାରତର ଲକ୍ଷ୍ୟ ସହ ସମନ୍ୱୟ ରଖି ଭାରତ-ଫ୍ରାନ୍ସ ସହଯୋଗକୁ ଆହୁରି ସୁଦୃଢ଼ କରିବାରେ ଏହି ଆୟୋଜନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

Leave a Reply

Your email address will not be published. Required fields are marked *