ନ୍ୟୁଜ ଡେକ୍ସ : ମଧ୍ୟ ପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଓମାନ ଉପକୂଳ ନିକଟରେ ‘ଏମଏସ୍ଭି ବିରାଟ-୧’ ନାମକ ଏକ ଭାରତୀୟ ଜାହାଜ ବୁଡ଼ି ଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଜାହାଜରେ ଥିବା ସମସ୍ତ ୧୪ ଜଣ ଭାରତୀୟ କ୍ରୁ-ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାରୁ ବଡ଼ ଅଘଟଣ ଟଳିଯାଇଛି।ସୂଚନା ଅନୁଯାୟୀ, ଓମାନର ରସ୍ ଅଲ୍ ଅଞ୍ଚଳରୁ ପ୍ରାୟ ୮୦ ମାଇଲ ପୂର୍ବରେ ଏହି ଜାହାଜ ବୁଡ଼ି ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ଆମେରିକୀୟ ନୌସେନା ତୁରନ୍ତ ଉପକୂଳ କର୍ତ୍ତୃପକ୍ଷ ଓ ଭାରତୀୟ ନୌସେନାକୁ ସତର୍କ କରିଥିଲା।
ଏହାପରେ ମିଳିତ ଭାବେ ବ୍ୟାପକ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା।ସରକାରୀ ସୂତ୍ର ଅନୁସାରେ, ରବିବାର ସକାଳେ ଆମେରିକୀୟ ନୌସେନା ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଥିଲା। ତତ୍କ୍ଷଣାତ୍ ଭାରତୀୟ ନୌସେନା ଓ ସ୍ଥାନୀୟ ଅଧିକାରୀଙ୍କ ସହ ସମନ୍ୱୟ କରାଯାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା।ଉଦ୍ଧାର ଅଭିଯାନରେ ଆମେରିକାର ପି-୮ ସାମୁଦ୍ରିକ ନିରୀକ୍ଷଣ ବିମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା। ବିମାନଟି ଘଟଣାସ୍ଥଳରେ ପହଞ୍ଚି ସମୁଦ୍ର ମଧ୍ୟରେ ଲାଇଫ୍ ରାଫ୍ଟ ପକାଇଥିଲା ଏବଂ ସଙ୍କଟଗ୍ରସ୍ତ ନାବିକମାନଙ୍କ ଅବସ୍ଥାନ ଚିହ୍ନଟ କରିଥିଲା। ଜାହାଜ ବୁଡ଼ିବା ପରେ କ୍ରୁ-ସଦସ୍ୟମାନେ ଲାଇଫ୍ ରାଫ୍ଟରେ ଆଶ୍ରୟ ନେଇଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସହଜ ହୋଇଥିଲା।ଏହି ଅଭିଯାନରେ ସେହି ମାର୍ଗ ଦେଇ ଯାଉଥିବା ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପତାକା ବହନ କରୁଥିବା ବାଣିଜ୍ୟିକ ଜାହାଜ ‘ଏମ୍ଭି ଜାବଲ ଅଲ୍ଲୀ-୯’ ମଧ୍ୟ ସହଯୋଗ କରିଥିଲା।
ସୋହାରରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏହି ଜାହାଜକୁ ଆମେରିକୀୟ ପି-୮ ବିମାନ ପକ୍ଷରୁ ସହାୟତା ପାଇଁ ଘଟଣାସ୍ଥଳକୁ ପଠାଯାଇଥିଲା।ଅଧିକାରୀମାନଙ୍କ କହିବା ଅନୁସାରେ, ଜାହାଜରେ ଥିବା ସମସ୍ତ ୧୪ ଜଣ ନାବିକ ଭାରତୀୟ ନାଗରିକ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତାର ନଜର ରଖାଯାଉଛି। ଏହି ଘଟଣା ଓମାନର ପୂର୍ବ ଉପକୂଳ ନିକଟରେ ଏବଂ ହର୍ମୁଜ ପ୍ରଣାଳୀ ସଂଲଗ୍ନ ଅଞ୍ଚଳରେ ଘଟିଛି।
ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ଏବଂ ରଣନୈତିକ ସାମୁଦ୍ରିକ ମାର୍ଗ ମଧ୍ୟରୁ ଏହା ଅନ୍ୟତମ। ସମ୍ପ୍ରତି ଆମେରିକା-ଇରାନ ଉତ୍ତେଜନା ଏବଂ ପଶ୍ଚିମ ଏସିଆରେ ବଢ଼ୁଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହି ଅଞ୍ଚଳର ସୁରକ୍ଷା ପରିସ୍ଥିତି ଉପରେ ଆନ୍ତର୍ଜାତିକ ସମୁଦାୟର ବିଶେଷ ନଜର ରହିଛି।ତେବେ ଜାହାଜ ବୁଡ଼ିବାର ପ୍ରକୃତ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକୃତ ସୂଚନା ପ୍ରକାଶ ପାଇନାହିଁ। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସମୁଦ୍ର ପଥର ସୁରକ୍ଷାକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି।

