Mon. Jun 15th, 2026

ନ୍ୟୁଜ ଡେକ୍ସ : ସ୍ୱିଜରଲ୍ୟାଣ୍ଡରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ଜନମତ ସଂଗ୍ରହ ଅନୁଷ୍ଠିତ ହେଉଛି। ଏହି ଜନମତରେ ଦେଶର ଲୋକମାନେ ନିଷ୍ପତ୍ତି ନେବେ ଯେ, ୨୦୫୦ ସୁଦ୍ଧା ସ୍ୱିଜରଲ୍ୟାଣ୍ଡର ଜନସଂଖ୍ୟାକୁ ୧ କୋଟିରୁ ଅଧିକ ବୃଦ୍ଧି ପାଇବାକୁ ଦିଆଯିବ କି ନାହିଁ। ଏହି ପ୍ରସ୍ତାବକୁ କେନ୍ଦ୍ର କରି ଦେଶରେ ପ୍ରବାସନ ନୀତି ଓ ବିଦେଶୀ ନାଗରିକଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି।ଦକ୍ଷିଣପନ୍ଥୀ ସ୍ୱିସ୍ ପିପୁଲ୍ସ ପାର୍ଟି ଏହି ପ୍ରସ୍ତାବକୁ ସମର୍ଥନ କରୁଛି। ଦଳର ମତରେ, ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଘରବାଡ଼ିର ଅଭାବ, ସାର୍ବଜନିକ ପରିବହନରେ ଭିଡ଼, ସ୍ୱାସ୍ଥ୍ୟସେବା ଉପରେ ଚାପ ଏବଂ ପରିବେଶ ସମ୍ବନ୍ଧୀୟ ସମସ୍ୟା ବଢ଼ୁଛି।

ସେଥିପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆବଶ୍ୟକ ବୋଲି ଦଳ ଦାବି କରିଛି।ଅନ୍ୟପକ୍ଷରେ, ସ୍ୱିଜରଲ୍ୟାଣ୍ଡ ସରକାର, ଅନ୍ୟ ରାଜନୈତିକ ଦଳ, ବ୍ୟବସାୟିକ ସଂଗଠନ ଏବଂ ଟ୍ରେଡ୍ ୟୁନିଅନଗୁଡ଼ିକ ଏହି ପ୍ରସ୍ତାବର ବିରୋଧ କରୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପ ଫଳରେ ହସ୍ପିଟାଲ, ହୋଟେଲ ଓ ବିଭିନ୍ନ ଶିଳ୍ପ କ୍ଷେତ୍ରରେ କର୍ମଚାରୀ ସଙ୍କଟ ଦେଖାଦେଇପାରେ। ଏହା ସହିତ ୟୁରୋପୀୟ ୟୁନିଅନ୍ ସହ ସ୍ୱିଜରଲ୍ୟାଣ୍ଡର ସମ୍ପର୍କ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ୨୦୦୨ ମସିହାରେ ସ୍ୱିଜରଲ୍ୟାଣ୍ଡର ଜନସଂଖ୍ୟା ୭୩ ଲକ୍ଷ ଥିବାବେଳେ ବର୍ତ୍ତମାନ ଏହା ବଢ଼ି ୯୧ ଲକ୍ଷରେ ପହଞ୍ଚିଛି। ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୨୭ ପ୍ରତିଶତ ଲୋକ ବିଦେଶରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି। ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ଥିବା ସ୍ୱିଜରଲ୍ୟାଣ୍ଡରେ ୧ ଲକ୍ଷ ଦସ୍ତଖତ ସଂଗ୍ରହ ହେଲେ ଯେକୌଣସି ପ୍ରସଙ୍ଗରେ ଜନମତ ସଂଗ୍ରହ କରାଯାଇପାରେ।ସମ୍ପ୍ରତି ସର୍ବେକ୍ଷଣ ଅନୁଯାୟୀ, ୫୨ ପ୍ରତିଶତ ଭୋଟର ଏହି ପ୍ରସ୍ତାବର ବିରୋଧରେ ଥିବାବେଳେ ୪୫ ପ୍ରତିଶତ ଏହାର ସମର୍ଥନରେ ଅଛନ୍ତି। ତେବେ ବହୁ ସଂଖ୍ୟକ ଭୋଟର ଏପର୍ଯ୍ୟନ୍ତ ନିଜ ମତ ସ୍ପଷ୍ଟ କରିନାହାନ୍ତି।

ପ୍ରସ୍ତାବ ଅନୁଯାୟୀ, ଜନସଂଖ୍ୟା ୯୫ ଲକ୍ଷରେ ପହଞ୍ଚିଲେ ସରକାରଙ୍କୁ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ହେବ। ଏଥିରେ ଶରଣାର୍ଥୀଙ୍କ ସଂଖ୍ୟା ହ୍ରାସ ଏବଂ ବିଦେଶୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଦେଶକୁ ଆଣିବା ଉପରେ କଟକଣା ଲାଗୁ ହୋଇପାରେ। ଜନସଂଖ୍ୟା ୧ କୋଟିରେ ପହଞ୍ଚିଲେ ୟୁରୋପୀୟ ୟୁନିଅନ୍ ସହ ମୁକ୍ତ ଗତିବିଧି ସମ୍ପର୍କିତ ଚୁକ୍ତି ସମେତ କିଛି ଆନ୍ତର୍ଜାତୀୟ ଚୁକ୍ତିନାମାରୁ ସ୍ୱିଜରଲ୍ୟାଣ୍ଡକୁ ବାହାରିବାକୁ ପଡ଼ିପାରେ। ବ୍ୟବସାୟିକ ସଂଗଠନମାନଙ୍କ ମତରେ, ୟୁରୋପୀୟ ୟୁନିଅନ୍ ସ୍ୱିଜରଲ୍ୟାଣ୍ଡର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ହୋଇଥିବାରୁ ଏପରି ପଦକ୍ଷେପ ଅର୍ଥନୀତି ପାଇଁ କ୍ଷତିକାରକ ହୋଇପାରେ।

ହୋଟେଲ କ୍ଷେତ୍ରର ପ୍ରାୟ ଅଧା କର୍ମଚାରୀ ପ୍ରବାସୀ ହୋଇଥିବା ବେଳେ ହସ୍ପିଟାଲ ଓ ବୃଦ୍ଧାଶ୍ରମଗୁଡ଼ିକ ମଧ୍ୟ ବିଦେଶୀ କର୍ମଚାରୀଙ୍କ ଉପରେ ଅଧିକ ନିର୍ଭରଶୀଳ।ବିରୋଧୀମାନଙ୍କ କହିବା ଅନୁଯାୟୀ, ସ୍ୱିଜରଲ୍ୟାଣ୍ଡର ପ୍ରାୟ ୨୦ ପ୍ରତିଶତ ଜନସଂଖ୍ୟା ୬୫ ବର୍ଷରୁ ଅଧିକ ବୟସର। ଏହି ପରିସ୍ଥିତିରେ ଦେଶକୁ ଯୁବ ଶ୍ରମିକ ଓ କରଦାତାଙ୍କ ଆବଶ୍ୟକତା ରହିଛି। ତେଣୁ ଜନସଂଖ୍ୟା ସୀମା ଲାଗୁ କରିବା ଦ୍ୱାରା ଲାଭ ତୁଳନାରେ କ୍ଷତି ଅଧିକ ହେବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *