ନ୍ୟୁଜ ଡେକ୍ସ : ଭାରତୀୟ ସେନା ପକ୍ଷରୁ ସେନା କର୍ମଚାରୀଙ୍କ ପାଇଁ ଏକ ନୂଆ ୟୁନିଫର୍ମ କୋଡ୍ ଘୋଷଣା କରାଯାଇଛି। ‘ଆର୍ମି ୟୁନିଫର୍ମ-୨୦୨୬’ ନାମରେ ଜାରି ହୋଇଥିବା ଏହି ନୂଆ ନିୟମାବଳୀରେ ସେନା ପୋଷାକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ସେନାର ଏକତା, ଶୃଙ୍ଖଳା ଏବଂ ପେସାଦାରିତାକୁ ବଜାୟ ରଖିବା ସହିତ ପୋଷାକକୁ ଅଧିକ ଭାରତୀୟ ରୂପ ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।ନୂଆ ଗାଇଡ୍ଲାଇନ୍ ଅନୁଯାୟୀ, ସେନା ଅଧିକାରୀଙ୍କ ଆନୁଷ୍ଠାନିକ ପୋଷାକରେ ‘ବଣ୍ଡି’ ଜ୍ୟାକେଟ୍କୁ ସାମିଲ କରାଯାଇଛି।
ପାରମ୍ପରିକ ଭାରତୀୟ ଶୈଳୀର ଏହି ସ୍ଲିଭ୍ଲେସ୍ ଜ୍ୟାକେଟ୍କୁ ବର୍ତ୍ତମାନ ଫର୍ମାଲ ଡ୍ରେସ୍ର ଏକ ବିକଳ୍ପ ଭାବେ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ ସେନା ପୋଷାକରେ ଭାରତୀୟ ସଂସ୍କୃତି ଓ ପରମ୍ପରାର ଛାପ ଅଧିକ ସ୍ପଷ୍ଟ ହେବ ବୋଲି କୁହାଯାଉଛି।ସେହିପରି ଶୀତଦିନିଆ ପୋଷାକରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ଆଣାଯାଇଛି। ନୂଆ ନିୟମରେ ଆଙ୍ଗୋଲା ସାର୍ଟ, ବ୍ୟାଟେଲ୍ ଜ୍ୟାକେଟ୍ ଏବଂ ବେରେଟ୍କୁ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ କରାଯାଇଛି। ସେନା କର୍ମଚାରୀଙ୍କ ପାଇଁ ପୋଷାକର ଏକ ସମାନ ମାନଦଣ୍ଡ ସ୍ଥାପନ କରିବାକୁ ଏହି ପରିବର୍ତ୍ତନ କରାଯାଇଛି। ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ରିଟିଶ ଶାସନ କାଳରୁ ଚାଲିଆସୁଥିବା କିଛି ପୁରୁଣା ପ୍ରଥା ଓ ସାମଗ୍ରୀକୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବ। ସେଗୁଡ଼ିକ ବଦଳରେ ଆଧୁନିକ ଓ ଭାରତୀୟ ପରିଚୟ ବହନ କରୁଥିବା ନୂଆ ବ୍ୟବସ୍ଥାକୁ ପ୍ରଚଳନ କରାଯିବ।‘ୟୁନିଫର୍ମ-୨୦୨୬’ ନିୟମାବଳୀରେ କେବଳ ପୋଷାକ ନୁହେଁ, ବରଂ ସେନା କର୍ମଚାରୀଙ୍କ ବ୍ୟକ୍ତିଗତ ଉପସ୍ଥାପନ ସମ୍ପର୍କରେ ମଧ୍ୟ ବିସ୍ତୃତ ନିର୍ଦ୍ଦେଶ ଦିଆଯାଇଛି।
ପୁରୁଷ କର୍ମଚାରୀମାନେ କେଉଁ ଭଳି ଭାବେ କେଶ ଓ ନିଶ ରଖିବେ, ସେଥିପାଇଁ ସ୍ପଷ୍ଟ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି। ସେହିପରି ମହିଳା ସେନା କର୍ମଚାରୀଙ୍କ ପାଇଁ ମେକଅପ୍, ଅଳଙ୍କାର ଏବଂ ଅନ୍ୟାନ୍ୟ ଆସେସରିଜ୍ ବ୍ୟବହାର ସମ୍ପର୍କରେ ମଧ୍ୟ ବିଶେଷ ନିର୍ଦ୍ଦେଶାବଳୀ ଜାରି ହୋଇଛି।ଭାରତୀୟ ସେନାର ଏହି ନୂଆ ପଦକ୍ଷେପକୁ ସେନାର ଆଧୁନିକୀକରଣ ଏବଂ ଭାରତୀୟକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ଦେଖାଯାଉଛି। ଏହା ଦ୍ୱାରା ସେନାର ପାରମ୍ପରିକ ଗୌରବ ଅକ୍ଷୁଣ୍ଣ ରହିବା ସହିତ ଭାରତୀୟ ପରିଚୟ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

