ନ୍ୟୁଜ ଡେକ୍ସ: ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି କାଏମ ରଖିଲେ ହାଇକୋର୍ଟ। ୨୦ରୁ କମ୍ ପିଲା ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ କାଏମ ରଖିଛନ୍ତି। ତେବେ ମିଶ୍ରଣକୁ ବିରୋଧ କରୁଥିବା ଆବେଦନକାରୀ ଜିଲ୍ଲା ଅଭିଯୋଗ ସେଲ୍ରେ ଅଭିଯୋଗ କରିପାରିବେ। ଆବେଦନକାରୀଙ୍କ ଅଭିଯୋଗ ଉପରେ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ହାଇକୋର୍ଟ କହିଛନ୍ତି ।
ସ୍କୁଲ୍ ମିଶ୍ରଣ ବିଜ୍ଞପ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତି ରଦ୍ଦ କରିବା ପରେ ଏହାକୁ ବିରୋଧ କରି ରାଜ୍ୟ ସରକାର ହାଇକୋର୍ଟକୁ ରିଟ୍ ଅପିଲ୍ରେ ଆସିଥିଲେ। ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣିକିଆ ବିଚାରପତିଙ୍କ ଆଦେଶକୁ ରଦ୍ଦ କରି ଦେଇଛନ୍ତି। ସ୍କୁଲ୍ ମିଶ୍ରଣକୁ ବିରୋଧ କରି ଆସିଥିବା ଆବେଦନକାରୀମାନେ ଜିଲା ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କ ଅଭିଯୋଗ ରଖିପାରିବେ ବୋଲି ଅଦାଲତ କହିଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ଉପରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ନ୍ୟାୟାଳୟ କହିଛନ୍ତି। ସୂଚନା ଅନୁସାରେ, ୨୦ କିମ୍ବା ତା’ ଠାରୁ କମ୍ ପିଲା ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ ପାଇଁ ୨୦୧୮ରେ ଏକ ଗାଇଡଲାଇନ ପ୍ରସ୍ତୁତ କରିବା ପରେ, ୨୦୨୦ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର ।
ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ୧୬୮ଟି ମାମଲା ହୋଇଥିଲା। ଯାହା ଉପରେ ଗତକାଲି ଶୁଣାଣି କରି, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଣିକିଆ ବିଚାରପତିଙ୍କ ଆଦେଶକୁ ଖାରଜ କରିବା ସହିତ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କାଏମ ରଖିଛନ୍ତି।