ନ୍ୟୁଜ ଡେକ୍ସ: ଗୋଷ୍ଠୀ ସଂଘର୍ଷ କାରଣରୁ ୩ ଜଣ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟରେ ମଙ୍ଗଳବାର-ବୁଧବାର ରାତିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ପରକିୟା ପ୍ରୀତିରୁ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ଦେଖିବାକୁ ମିଳିଛି ଭୟଙ୍କର ସଂଘର୍ଷ । ଗଡ଼ିଛି ୫ ମୁଣ୍ଡ । ମୃତକଙ୍କ ମଧ୍ୟରେ ୩ ମହିଳା ଥିବା ଜଣାଯାଇଛି। ସୁନ୍ଦରଗଡ଼ ସଦର ଥାନା କରମଡିହି ଅଞ୍ଚଳର ଗୀତାପଡ଼ାରେ ଘଟିଛି ଏହି ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ। ମୃତକମାନେ ହେଲେ ଛମା ଭୋସଲେ (୨୫), ଭାଇ ସୁବାସ ପାୱାର (୨୩), ଚରଣ କୁମାର (୪୫), ତାଙ୍କ ପତ୍ନୀ କାଇଲା କୁମାର (୩୫) ଓ ଦାଦି କୁଣ୍ଡି ପାୱାର। ଆହତମାନେ ହେଲେ ଅବିନାଶ ପାୱାର (୩୦), ପୀୟୁଷ କୁମାର (୧୩), ମଞ୍ଜୁ ପାୱାର (୧୦), ଅନିଶା କୁମାରୀ (୧୨)।
ଏମାନେ ସମସ୍ତେ ଦୁଇଟି ପରିବାରର ଲୋକ ଥିଲେ। ସୂଚନା ଅନୁସାରେ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ମୃତ ୫ ଜଣଙ୍କ ମଧ୍ୟରୁ ତିନି ମହିଳା ଅଛନ୍ତି। ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ହୋଇଥିବା ଚର୍ଚ୍ଚା ହେଉଛି। ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ଅଛନ୍ତି। ଅପହରଣକାରୀ ଗୋଷ୍ଠୀକୁ ଧରିବାକୁ ପୁଲିସର ତନାଘନା ଜାରି ରହିଛି। ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ଉପସ୍ଥିତ ଅଛନ୍ତି।