ନ୍ୟୁଜ ଡେକ୍ସ: ଆଜି ଜୟପୁରରେ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ । ଜୟପୁର ଚ୍ୟାମ୍ବର ଅଫ୍ କମର୍ସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସିଟି ଓ ଜିଏସଟି ଟିମର ଚଢାଉ ପରେ ହୃଦଘାତରେ ଜୟପୁରର ସୁନା ବ୍ୟବସାୟୀ ହରପ୍ରସାଦ ରାଓଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି।
ଏହି ବନ୍ଦ ଡାକରାରୁ ସ୍କୁଲ, କଲେଜ ସହିତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଔଷଧ ଦୋକାନଗୁଡ଼ିକୁ ବାଦ୍ ଦିଆଯାଇଛି। ସେହିପରି ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ହେବ ନାହିଁ। କେବଳ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ଜୟପୁର ଚାମ୍ବର୍ ଅଫ୍ କମର୍ସର ଅଧ୍ୟକ୍ଷ କହିଛନ୍ତି। ସୂଚନା ମୁତାବକ, ଗତ ମଙ୍ଗଳବାର ଧନତେରାସରେ ହରପ୍ରସାଦଙ୍କ ଜୁଏଲାରୀରେ ରେଡ୍ କରିଥିଲା ସିଟି-ଜିଏସଟି ବିଭାଗ।
ସେହି ଦିନଠାରୁ ସେ ଚିନ୍ତିତ ଓ ଚାପଗ୍ରସ୍ତ ଥିଲେ। ତାଙ୍କ ଭାଇ ଅଭିଯୋଗ କରିଛନ୍ତି, ପୂଜା ପାର୍ବଣ ଦିନ ଜୁଏଲାରୀ ଦୋକାନରେ ରେଡ୍ ତାଙ୍କୁ ଆଘାତ ଦେଇଥିଲା। ବାରମ୍ବାର ଭାଇଙ୍କ ଦୋକାନରେ ସର୍ଚ୍ଚ କରାଯିବାରୁ ସେ ଚିନ୍ତିତ ରହୁଥିଲେ। ଲୋକ ଲଜ୍ଜା ଓ ଅଧିକ ଚିନ୍ତାଗ୍ରସ୍ତ କାରଣରୁ ତାଙ୍କର ମୃତ୍ୟୁ ହେଲା ବୋଲି ସେ ଅଭିଯୋଗ କରିଛନ୍ତି।