ନ୍ୟୁଜ ଡେକ୍ସ: ଭୁବନେଶ୍ବର ବିମାନବନ୍ଦରରେ ତାତିଲେ ଯାତ୍ରୀ । ବିମାନ ଉଡାଣ ବାରମ୍ବାର ବାତିଲ୍ ହେବକୁ ନେଇ ଅସନ୍ତୋଷ ପ୍ରକାଶ କରି ଧାରଣାରେ ବସିଥିଲେ । ଯଥାଶୀଘ୍ର ସେମାନଙ୍କ ଯିବା ପାଇଁ ବିମାନ ବ୍ୟବସ୍ଥା କରିବା ପାଇଁ ଦାବି କରି ବିମାନ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ ପାଖାପାଖି ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ।
ସୂଚନା ମୁତାବକ, ଭୁବନେଶ୍ୱରରୁ ହାଇଦ୍ରାବାଦ ଯିବାକୁ ଥିବା ବିମାନ IX 2932 ଗତକାଲି ସକାଳ ୯ ଟା ୫୫ରେ ଥିବାବେଳେ କୌଣସି କାରଣ ପାଇଁ ବାତିଲ ହୋଇଥିଲା। ଏହି ବିମାନ ଆଜି ସକାଳ ୮ଟା ୪୫କୁ ଧାର୍ଯ୍ୟ କରାଯାଇଥିଲା। ଆଜି ସକାଳେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ। ହେଲେ ଆଜି ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି । କୌଣସି କାରଣ ନଦର୍ଶାଇ ମନକୁ ମନ ବିମାନ ବାତିଲ୍ କରିଦିଆଯାଇଛି ।
ଯାହାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ହେବା ସହ ବିମାନବନ୍ଦରର ୬ ନଂ ଗେଟରେ ଧାରଣା ଦେଇଥିଲେ ୬୦ ରୁ ଅଧିକ ଯାତ୍ରୀ । ତେବେ ଏହାକୁ ନେଇ ବିମାନ କର୍ତ୍ତୃପକ୍ଷ କହିଛନ୍ତି, ବୈଷୟିକ ତ୍ରୁଟି ଯୋଗୁଁ ହାଇଦ୍ରାବାଦରୁ ଏୟାରକ୍ରାଫ୍ଟ ନଆସିବା କାରଣରୁ ଗତକାଲି ସକାଳେ ୭.୫୫ ଯିବାକୁ ଥିବା ବିମାନ ବାତିଲ୍ କରାଯାଇଥିଲା । ଆଜି ବିମାନ ଆସିବାରେ ବିଳମ୍ବ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ବେଳେ ବର୍ତ୍ତମାନ ହାଇଦ୍ରାବାଦ ଯିବାକୁ ଥିବା ବିମାନ ଭୁବନେଶ୍ବରରେ ପହଞ୍ଚିବା ପରେ ସ୍ଥିତିରେ ସୁଧାର ଆସିଛି ।
