ନ୍ୟୁଜ ଡେକ୍ସ: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ୍ତ କୁମାର ସାହୁ। ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବକେୟା ପ୍ରାପ୍ୟର ବିଲ୍ କରାଇବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ଏହି ସମୟରେ ମାଡିବାସିଲା ଭିଜିଲାନ୍ସ। ସୂଚନା ମୁତାବକ, ୨୦୧୮ ମସିହାରୁ ଅବସର ନେଇଥିବା ଖୋର୍ଦ୍ଧା କୋଣାର୍କ ନଗରର ଶିକ୍ଷୟତ୍ରୀ ବିଜୟିନୀ ତ୍ରିପାଠୀ ତାଙ୍କ ଏରିଅର ଟଙ୍କା ପାଇବାକୁ ବାରମ୍ବାର ବିଇଓଙ୍କ କାର୍ଯ୍ୟାଳୟ ଦୌଡ଼ୁଥିଲେ । ତେବେ ତାଙ୍କର ପ୍ରାୟ ୫ ଲକ୍ଷ ଟଙ୍କାର ଏରିଅର ବିଲ୍ କରାଇଦେବାକୁ କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବିଜୟିନୀଙ୍କ ଭାଇ ବିନୟ ତ୍ରିପାଠୀ ଭିଜିଲାନ୍ସକୁ ଜଣାଇଥିଲେ।
ଏହାପରେ ପୂର୍ବ ଯୋଜନା ମୁତାବକ ବିଜୟିନୀ ଗତକାଲି ରାତି ପ୍ରାୟ ୧୧ଟା ବେଳେ ବିଇଓ କାର୍ଯ୍ୟାଳୟରେ ପ୍ରଦୀପ୍ତଙ୍କୁ ଲାଞ୍ଚ ଟଙ୍କା ଦେଉଥିଲେ। ଉକ୍ତ ସମୟରେ ସେଠାରେ ଛପି ରହିଥିବା ଖୋର୍ଦ୍ଧା ଏବଂ ଭୂବନେଶ୍ୱରର ଭିଜିଲାନ୍ସ ଟିମ୍ ସେଠାରେ ତାଙ୍କୁ ମାଡି ବସିଥିଲେ। ସେମାନେ ପ୍ରଦୀପ୍ତଙ୍କ ନିକଟରୁ ରାସାୟନିକ ପ୍ରଲେପ ବୋଳା ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କୁ ଗିରଫ କରି ଖୋର୍ଦ୍ଧା ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି।