ନ୍ୟୁଜ ଡେକ୍ସ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ସେଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ସକାଳୁ ସକାଳୁ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି ରାଜ୍ୟବାସୀ । ସେପଟେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପାରାଦୀପ ବନ୍ଦରରେ ଅନୁଷ୍ଠିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ । କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପତାକା ଦେଖାଇ କଲେ ଶୁଭାରମ୍ଭ। ଏହି ଅବସରରେ ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରାକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏଥିସହ ସେ କହିଛନ୍ତି, କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ। ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରା ଆଜି ବି ପ୍ରେରଣା ଦିଏ । ସେମାନଙ୍କ ଉଦ୍ୟମ ବଳରେ ଆମ କଳିଙ୍ଗ ହୋଇଥିଲା ବୈଭବଶାଳୀ । ଆଜି ଆମେ ସେହି ହଜାର ବର୍ଷର ଐତିହ୍ୟକୁ ମନେ ପକାଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଯୋଗୁ ଏହା ଆଜି ଦେଶରେ ଏକ ନମ୍ବର ବନ୍ଦର ହୋଇପାରିଛି ।
ଆଗକୁ ଅସ୍ତରଙ୍ଗ ସମେତ ଓଡ଼ିଶାର ଅନେକ ସ୍ଥାନରେ ନୂଆ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗତ ୨୩ ବର୍ଷ ଧରି ଏହି ଉତ୍ସବ ଆଡମ୍ବର ସହ ପାଳନ ହେଉଛି ପାରାଦୀପର ଏହି ବୋଇତ ବନ୍ଦାଣ ଉତ୍ସବ । ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ବହୁ ପୁରୁଣା’ । ବାଣିଜ୍ୟ ପାଇଁ ଜଳଯାତ୍ରା କରି ଜାଭା, ସୁମିତ୍ରା, ବର୍ଣ୍ଣିଓ ଯାଉଥିଲେ ସାଧବ ପୁଅ । ନୌବାଣିଜ୍ୟରେ ଭାରତ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।