ନ୍ୟୁଜ ଡେକ୍ସ: ପୁରୀ ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ହୋଇଯାଇଛି ନୌସେନା ଦିବସ । ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନାମାନେ ନିଜର ପରାକ୍ରମ ଦେଖାଇଥିଲେ। ରାଷ୍ଟ୍ରପତି ତଥା ୩ ସେନାର କମାଣ୍ଡର-ଇନ-ଚିଫ୍ ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର ପରେ କମ୍ପି ଉଠିଥିଲା ପୁରୀ ବ୍ଲୁ ଫ୍ଲାଗ୍ ବିଚ୍।
ସମୁଦ୍ରର ଘୋ’ ଘୋ’ ଶବ୍ଦକୁ ଚିରି ଆକାଶରୁ ଶୁଭିଥିଲା ବିମାନର ଗୁରୁଗର୍ଜନ। ଚିତାକର୍ଷକ ଫ୍ଲାଏପାଷ୍ଟ୍ ସହ ବମ୍ ବର୍ଷ୍ଟ ମାନୁଏଭର ଦେଖାଇଥିଲେ ୫ଟି ହକ୍ ବିମାନ। ଏହାପରେ ୩ଟି ଚେତକ ହେଲିକପ୍ଟର ବ୍ୟାନର ଫର୍ମେସନରେ ସଗର୍ବେ ଉଡ଼ାଇଥିଲେ ଜାତୀୟ ପତାକା ଓ ଭାରତୀୟ ନୌସେନାର ଧ୍ୱଜା। ପରେ ନୌସେନାର ଶକ୍ତି ପ୍ରଦର୍ଶନ ଯେତେ ଆଗଉଥିଲା, ସେତିକି ଉତ୍ତଙ୍ଗ ହେଉଥିଲା ସମୁଦ୍ରର ସୁଉଚ୍ଚ ଜୁଆର। ସର୍ବସମ୍ମୁଖକୁ ଆସି ସାମରିକ ଦକ୍ଷତା ଦେଖାଇଥିଲା ସମୁଦ୍ରର ଅଥଳ ଗର୍ଭରେ ଲୁଚି ରହୁଥିବା ବୁଡ଼ା ଜାହାଜ INS ଶଲ୍-କୀ। ଆଉ ଓଡ଼ିଶା ପାଇଁ ଗର୍ବର କଥା, ଏହାର ନେତୃତ୍ୱ ନେଇଥିଲେ ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକ।
ଏହା ପରେ ଦେଖିବାକୁ ମିଳିଥିଲା ଦୁର୍ଦ୍ଧର୍ଷ ମରିନ କମାଣ୍ଡୋ- ମାର୍କସ୍ର ଜଲୱା। ଲୋକଲୋଚନରୁ ସର୍ବଦା ଦୂରେଇ ରହୁଥିବା ଭାରତର ଏହି ଏଲିଟ୍ ସ୍ପେଶାଲ ଫୋର୍ସର ବୀର ଯୋଦ୍ଧାମାନେ ଦେଖାଇଥିଲେ ରଣକୌଶଳ। ଆତଙ୍କୀଙ୍କ କବ୍ଜାରୁ ନିରୀହଙ୍କୁ ଉଦ୍ଧାର କରିବାର ଡେମୋ ଚକିତ କରିଥିଲା ସମୁଦ୍ର କୂଳରେ ସମବେତ ଜନସମୁଦ୍ରକୁ। ପ୍ରମାଣିତ କରିଥିଲା, ମାର୍କସ୍ କୁ ଶତ୍ରୁ କାହିଁକି କହେ ମୃତ୍ୟୁର ଦୂତ।