ନ୍ୟୁଜ ଡେକ୍ସ: ମନୋଜ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଶ୍ରୀ ସାହୁ ଡେପୁଟୀ ନିର୍ବାଚନ କମିଶନର ଭାବେ ନୂଆଦିଲ୍ଲୀରେ କାର୍ଯ୍ୟ କରୁଥିଲେ। ଏଜିଏମୟୁଟି କ୍ୟାଡ଼ରର ୨୦୦୬ ବ୍ୟାଚ୍ ଆଇଏଏସ୍ ଅଫିସର ମନୋଜ କୁମାର ସାହୁଙ୍କ ଘର ଜଗତସିଂହପୁରର ବାଲିକୁଦା ବ୍ଲକରେ । ସେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।
ସୂଚନାଥାଉକି, ବିଜେପି ସରକାର ଗଠନ ହେବା ପରଠାରୁ ଆଇଏଏସ ମନୋଜ କୁମାର ସାହୁ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ଜରୁରୀ ଭାବେ ତାଙ୍କୁ ଡେପୁଟେସନରେ ଅଣାଯାଉଥିବାରୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯିବା ନେଇ ଆଲୋଚନା ମଧ୍ୟ ହେଉଥିଲା। ତେବେ ମନୋଜ କୁମାର ସାହୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା। ସେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବରେ ଦାୟିତ୍ୱ ତୁଲାଇବା ସହିତ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ‘ହର ଘର୍ ଜଲ୍’ କାର୍ଯ୍ୟକ୍ରମରେ କାମ କରି ଖୁବ୍ ପ୍ରଶଂସିତ ହୋଇଛନ୍ତି। ଅନ୍ୟପଟେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ପ୍ରମୁଖ ସଚିବ ପଦବୀରେ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ଓଏଏସ୍ଡି ଭାବେ ନିଯୁକ୍ତି ମିଳିଛି।
୧୯୯୫ ବ୍ୟାଚ୍ର ଆଇଏଏସ୍ ଶ୍ରୀ ସେଠୀଙ୍କୁ ବଦଳି ହୋଇଥିଲେ ମଧ୍ୟ ପ୍ରମୁଖ ସଚିବ ପାହ୍ୟା ବଜାୟ ରହିବ। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି, ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟାଇ ଦିଆଯାଇଛି।