ନ୍ୟୁଜ ଡେକ୍ସ: ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଦୀର୍ଘ ୧୦୮ ଫୁଟର ବିଶାଳ ଜାତୀୟ ପତାକା ଲୋକାର୍ପିତ ହୋଇଛି । ଜିନ୍ଦଲ ସିଏସଆର ଫଣ୍ଡ ତଥା ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ତରଫରୁ ଏହି ଜାତୀୟ ପତାକା ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପତାକା ଉତ୍ତୋଳନ କରିଥିଲେ ।
ଏହା ବ୍ୟତୀତ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଫ୍ଲାଗ୍ ଇଣ୍ଡିଆ ପ୍ରତିଷ୍ଠାନର ପ୍ରୋତ୍ସାହନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏହାକୁ ଆୟୋଜନ କରିଥିଲେ ।ସଭାରେ ମୁଖ୍ୟ ଅତିଥି କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ମା’ ରମାଦେବୀ ସମଗ୍ର ଦେଶରେ ପରିଚିତ ଏବଂ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍ । ମାତୃଶକ୍ତି ଚିରବନ୍ଦନୀୟ । ଏହି ପରିପ୍ରେକ୍ଷୀରେ ସେ ରାମାୟଣର ମାତା ସୀତାଙ୍କ କଥା ଉଲ୍ଲେଖ କରିଥିଲେ ।
ବେଦପୁରାଣରେ ମଧ୍ୟ ଦେବଦେବୀମାନଙ୍କୁ ସେମାନଙ୍କ ମା’ଙ୍କ ପରିଚୟରେ ଜଣା ଯାଉଥିଲା । ସେହିଭଳି ଭାରତ ବର୍ଷରେ ଆମେ ମାତୃଭୂମିକୁ ମଧ୍ୟ ମା’ ବୋଲି ମାନି ଆରାଧନା କରିଥାଉ । ଓଡ଼ିଶାର ଇତିହାସ ଅତି ସମୃଦ୍ଧ । ନାରୀଜାତିର ଅଗ୍ରଗତି ଆମ ଇତିହାସର ମୂଳ ପିଣ୍ଡରେ ଅଛି ବୋଲି ସେ କହିଥିଲେ । ଏହା ଆମ ଇତିହାସ ଓ ସଂସ୍କୃତିର ଶକ୍ତି । ଛାତ୍ରୀଙ୍କୁ ଦେଶ ତଥା ବିଶ୍ୱର ଇତିହାସ ଜାଣିବା ସହ ଓଡ଼ିଶାର ଗୌରବମୟ ଇତିହାସ ଜାଣିବାକୁ ସେ ପରାମର୍ଶ ଦେଇଥିଲେ ।