ନ୍ୟୁଜ ଡେକ୍ସ: ବଡଦିନକୁ ଫସର ଫଟେଇଲା ଝିପିଝିପି ବର୍ଷା । ୱେଲ ମାର୍କଡ ଲୋ ପ୍ରେସର ପ୍ରଭାବରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ଆଜି ପାଇଁ ଦକ୍ଷିଣ ଓଡିଶା ସମେତ ଉପକୂଳର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ସକାଳୁ ସକାଳୁ ଟ୍ୱିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ହାଲୁକା ବର୍ଷା । କୋହଲା ପାଗ ସହ ହାଲୁକା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ।
ମଙ୍ଗଳବାର ସକାଳ ସାଢ଼େ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ଭିତରେ କଟକରେ ୧୧.୪ ମିମି ବର୍ଷା ହୋଇଛି । ଦାରିଙ୍ଗିବାଡ଼ିରେ ୭ମିମି, କୋରାପୁଟରେ ୪.୨, ଅନୁଗୁଳରେ ୩, ପାରଳାଖେମୁଣ୍ଡିରେ ୨.୪,ଢେଙ୍କାନାଳରେ ୧.୨ମିମି ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର, ସମ୍ବଲପୁର ଓ ରାୟଗଡ଼ାରେ ବି ବର୍ଷା ଛିଞ୍ଚିଛି । ମଙ୍ଗଳବାର ଦିନବେଳା ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ଥିଲା । ଶୁକ୍ରବାର ଯାଏ ରାଜ୍ୟର ସବୁ ଅଞ୍ଚଳର ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ।
ଶୁକ୍ରବାରଠାରୁ ପାରଦ ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କୋରାପୁଟର ରାତି ତାପମାତ୍ରା ସବୁଠୁ କମ୍ ବା ୧୨ ଡିଗ୍ରୀ ରେକର୍ଡ ହୋଇଥିଲା । ଫୁଲବାଣୀରେ ୧୩, ରାଉରକେଲାରେ ୧୩.୧, ଝାରସୁଗୁଡ଼ାରେ ୧୩.୬, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ୧୪ରେ ଏବଂ ଖୋର୍ଦ୍ଧାରେ ୧୪.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଅଦିନିଆ ଲଘୁଚାପ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି । ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ବର୍ଷା କମିବା ପରେ ଶୀତ ବଢିବାଟା ନିଶ୍ଚୟ ।
