ନ୍ୟୁଜ ଡେକ୍ସ: ବୁଧବାରଠାରୁ ଆସନ୍ତା ମାସ ଅର୍ଥାତ୍ ଜାନୁଆରୀ ୨ ତାରିଖ ଯାଏ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ । ଆଗକୁ ପଡ଼ୁଥିବା ସରକାରୀ ଛୁଟି ଏବଂ ଆସୁଥିବା ନୂଆ ବର୍ଷର ଭିଡ଼କୁ ନିୟନ୍ତ୍ରଣ ସହ ଠାକୁରଙ୍କ ଶୃଙ୍ଖଳିତ ନୀତି ପରିଚାଳନା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ୩ ତାରିଖରୁ ପୁଣି ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।
୩ ମାସ ମଧ୍ୟରେ ରତ୍ନଭଣ୍ଡାର ମରାମତି କାମ ଶେଷ କରିବାକୁ ଏଏସଅଇ ଲକ୍ଷ୍ୟ ରଖିଛି। ତେବେ ଏହା ପୂର୍ବରୁ କାମ ସାରିବାକୁ ଚେଷ୍ଟା କରାଯିବ। ମରାମତି କାମ ସରିବା ପରେ ଅଳଙ୍କାର ସବୁ ରତ୍ନଭଣାରକୁ ସ୍ଥାନାନ୍ତର କରାଯିବ। ଏହାପରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ବୋଲି କହିଥିଲେ ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।
