ନ୍ୟୁଜ ଡେକ୍ସ: ଭବାନୀପାଟଣା ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ଏନେଇ ବିଶ୍ଵବିଦ୍ୟାଳୟ ଇନ୍ଚାର୍ଜ ଭିସି ନିବେଦିତା ନାଥ ସୂଚନା ଦେଇଛନ୍ତି। ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ସଞ୍ଜୟ ଶତପଥୀ। ଆଜି ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି।
କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ହୋଇଥିବା ଜଣାପଡିଥିଲା। ଗତ ଅକ୍ଟୋବର ତାରିଖଠାରୁ ଦେହ ଅସୁସ୍ଥ ଥିବା ନେଇ ସେ ବିଶ୍ବବିଦ୍ୟାଳୟରୁ ଛୁଟି ନେଇଥିଲେ। ତାଙ୍କ ପରଲୋକ ଖବର ଶୁଣି ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ କର୍ତ୍ତୃପକ୍ଷ, ଭାରପ୍ରାପ୍ତ କୁଳପତି ଶୋକ ପ୍ରକାଶ କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସଞ୍ଜୟ କୁମାର ଶତପଥୀ ୧୩ଟି ପାଠ୍ୟ ପୁସ୍ତକ ସମେତ ୨୪ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କର ୩୬ ବର୍ଷରୁ ଅଧିକ ଶିକ୍ଷାଦାନ ଅଭିଜ୍ଞତା ଅଛି ଏବଂ ସେ ୨୦ଟି ପିଏଚଡି ଲାଗି ସଫଳତାର ସହ ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିଛନ୍ତି। ୨୦୨୧ ଏପ୍ରିଲ ମାସରେ ସେ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ।
ସେ ଆସିବା ପରଠାରୁ ବିଶ୍ବବିଦ୍ୟାଳୟର ଅନେକ ଉନ୍ନତିମୂଳକ କାମ କରିଥିଲେ । ସେ ସିଧାସଳଖ ପିଲାଙ୍କ ସହ ମିଶି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ । ପିଲାଙ୍କ ସମସ୍ୟା ବୁଝୁଥିଲେ ଓ ସମାଧାନର ବାଟ ମଧ୍ୟ କହୁଥିଲେ । ସେଥିପାଇଁ ପ୍ରତି ଛାତ୍ରଛାତ୍ରୀଙ୍କ ପ୍ରିୟ ଥିଲେ।ସେ ଏକାଧାରାରେ ଜଣେ ଶିକ୍ଷାବିତ୍, ପ୍ରବଚକ, ସାହିତ୍ୟିକ ସର୍ବୋପରି ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବରେ ବେଶ୍ ଜଣାଶୁଣା। ରାଜ୍ୟର ବିଭିନ ଧର୍ମାନୁଷ୍ଠାନ ସହ ସେ ଦୀର୍ଘବର୍ଷ ହେଲା ଜଡିତ ରହିଥିଲେ । ତାଙ୍କ ପରଲୋକ ଖବର ଶୁଣି ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ କର୍ତ୍ତୃପକ୍ଷ, ଭାରପ୍ରାପ୍ତ କୁଳପତି ଶୋକ ପ୍ରକାଶ କରିଛନ୍ତି ।
