Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଉ ମାତ୍ର ୫ ଦିନର ଅପେକ୍ଷା । ୨୦୨୪ ସରିବ । ନୂଆବର୍ଷର ଆଗମନ ହେବ । ଜିରୋ ନାଇଟ୍ ସେଲିବ୍ରେସନରେ ରାଜଧାନୀ ଉତ୍ସବମୁଖର ହୋଇଉଠିବ । ଅଭିନବ ଢଙ୍ଗରେ ସେଲିବ୍ରେସନ ପାଇଁ ରାଜଧାନୀବାସୀ ଯୋଜନା କରିଛନ୍ତି । ସେଲିବ୍ରେସନ ଆଳରେ ଉତ୍ପାତ କରିବାକୁ ଅମାନିଆମାନେ ଗୋଡ଼ ଟେକି ବସିଛନ୍ତି । ସେପଟେ ଅଧିକରୁ ଅଧିକ ଗ୍ରାହକ ବାନ୍ଧିବାକୁ ତାରକା ହୋଟେଲ ସମେତ ବାର୍, ପବ୍ ସମେତ ଇଭେଣ୍ଟ ଅର୍ଗାନାଇଜର ପୂରା ପ୍ରସ୍ତୁତ ।

୨୦୨୪ କୁ ବିଦାୟ ସହ ୨୦୨୫ ମସିହାକୁ ସ୍ୱାଗତ ପାଇଁ ଉତ୍ସାହର ସହ ସଭିଏଁ ଅପେକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ। ନିଶାଶକ୍ତଙ୍କ ବିରୋଧରେ ହେବ ଦୃଢ଼ ଆକ୍ସନ। ବ୍ୟାପକ ହେବ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଏଭିକ୍ସନ। କିଛି ହୋଟେଲ ଓ ଖାଲି ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଅନୁମତି ମିଳିଛି। ଅବକାରୀ ବିଭାଗ ସହ ଆଲୋଚନା ସରିଛି। ଏଣୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଟୁଇନ ସିଟି ପୋଲିସ ପୁରା ପ୍ରସ୍ତୁତ ଥିବା କହିଛନ୍ତି କମିଶନର।କହିଛନ୍ତି, ମଦୁଆ ଓ ରୋଡ୍ ରୋମିଓଙ୍କ ଉପରେ କଡ଼ା ନଜର ରଖାଯିବ । ସେଲିବ୍ରେସନ ବେଳେ ଯେମିତି ସାଧାରଣ ଲୋକଟିଏ କୌଣସି ଅସୁବିଧାର ସାମ୍ନା ନ କରିବ, ସେଥିପ୍ରତି ଟିକିନିଖି ନଜର ରଖିବ ପୁଲିସ । ଲୋକଙ୍କୁ କୌଣସି ଅସୁବିଧାରେ ପକାଇଲେ ଉତ୍ପାତକାରୀକୁ ତୁରନ୍ତ ବାନ୍ଧିବ ପୁଲିସ ।

ସୁରକ୍ଷିତ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସହରରେ ବ୍ଲକିଂ ଚେକିଂ ବଢ଼ିଛି । ବିଭିନ୍ନ ହୋଟେଲରେ ଯାଞ୍ଚ ଚାଲିଛି। ସହରକୁ ଜଗିବ ସିସିଟିଭି । କୌଣସି ଖୋଲା ପଡି଼ଆ କିମ୍ବା ବାହାରେ ଜିରୋ ନାଇଟ୍ ପାଳନ କରିବା ପାଇଁ ପୁଲିସଠୁ ଅନୁମତି ନେବାକୁ ପଡ଼ିବ । ହୋଟେଲ କିମ୍ବା କ୍ଲବ, ପବ୍ରେ ରାତି ୧୨ଟା ଯାଏଁ ସେଲିବ୍ରେସନ କରିପାରିବେ । ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଚେକିଂ ବ୍ଲକିଂ ଚାଲିବ । ସମସ୍ତ ପିକ୍ନିକ୍ ଓ ପର୍ଯ୍ୟଟନ ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯିବ । ସାଦା ପୋଷାକରେ ପୁଲିସ ଜଗିବେ ।

Leave a Reply

Your email address will not be published. Required fields are marked *