Thu. Oct 23rd, 2025

ନ୍ୟୁଜ ଡେକ୍ସ: ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ଜାଗାରେ ରବିବାର ହାଲୁକା ବର୍ଷା ହୋଇପାରେ । ପଶ୍ଚିମା ବାୟୁ ପ୍ରଭାବରେ ଏଭଳି ବର୍ଷା ସମ୍ଭାବନା ଅଛି । ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇନଥିବାରୁ ଚାଷୀକୂଳ ଆଶ୍ୱସ୍ତ ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରବିବାର ୪ଟି ଜିଲ୍ଲାକୁ ବାଦ୍ ଦେଲେ ସବୁଠି ପାଗ ଶୁଖିଲା ରହିବ । ୩୧ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ମୟୂରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା କମିବ ।

ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହା ସହିତ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ। ସେହିଭଳି ରାତିର ତାପମାତ୍ରା ମଧ୍ୟ କମିବ। ୩୦ ରୁ କ୍ରମଶଃ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବ। ଫଳରେ ଶୀତ ପୁଣି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଅନୁମାନ କରାଯାଉଛି ଯେ, ଡିସେମ୍ବର ୩୧ ରାତିରେ ଭୁବନେଶ୍ୱର ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିପାରେ । ଶୁକ୍ରବାର ରାତିରେ ଥିଲା ୧୪.୪ ଡିଗ୍ରୀ । ଫୁଲବାଣୀ ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ରହିପାରେ । ପୂର୍ବରୁ ଅନୁମାନ କରାଯାଇଥିଲା, ଶନିବାର ଓ ରବିବାର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପାଗ ମେଘୁଆ ସହ ହାଲୁକା ବର୍ଷା ହୋଇପାରେ । ମାତ୍ର ଶନିବାର ପ୍ରାୟତଃ ପାଗ ଶୁଖିଲା ରହିଥିଲା । ଅଳ୍ପ କିଛି ସ୍ଥାନରେ ଆଂଶିକ ମେଘୁଆ ଥିଲା ।

Leave a Reply

Your email address will not be published. Required fields are marked *