Thu. Oct 23rd, 2025

ନ୍ୟୁଜ ଡେକ୍ସ: ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଆକଳନ କରାଯାଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଶ୍ରୀମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ନେଇ କଟକଣା ଜାରି ହୋଇଛି । ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖରେ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ । ସୂଚନା ଅନୁଯାୟୀ, ଭକ୍ତ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ।

ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ଅନୁମତି ଦିଆଯିବ ନହିଁ। ହେଲେ ଅନ୍ୟ ଦ୍ବାରା ଦେଇ କେବଳ ପ୍ରସ୍ଥାନ କରିହେବ। ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଦୁଇ କମାଣ୍ଡାଣ୍ଟ ରାଙ୍କର ଅଧିକାରୀଙ୍କ ସମେତ ୧୦ ଅତିରିକ୍ତ ଏସ୍‌ପି, ୩୩ ଡିଏସ୍‌ପିଙ୍କ ସମେତ ୬୨ ଇନ୍ସପେକ୍ଟର, ୨୪୫ ସବ୍‌ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ୩୦ ହାବିଲଦାର, ୨୯୦ ଜଣ କନଷ୍ଟେବଳ ମୁତୟନ ହୋଇଛନ୍ତି। ତେବେ ଶ୍ରୀମନ୍ଦିର ପରିସରରେ ୨ ଭାଗରେ ପୁଲିସ ମୁତୟନ ହୋଇଛନ୍ତି। ମାର୍କେଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ମେଡିକାଲ ଛକରୁ ଶ୍ରୀମନ୍ଦିର ନୋ ଭେହିକିଲ୍ ଜୋନ୍ । ଏହାସହ ସହରର ସମସ୍ତ ପ୍ରବେଶ ପଥରେ ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଡିସେମ୍ବର ୩୧ ତାରିଖ, ଇଂରାଜୀ ନୂଆ ବର୍ଷର ଦିନ ପ୍ରବଳ ଭିଡ଼ ଅନୁମାନ କରାଯାଇଛି । ଏହି ୨ ଦିନ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ସେହିପରି ମେଡିକାଲ ଛକଠୁ ସୁଭାଷ ବୋଷ ଛକ ଏବଂ ସୁଭାଷ ବୋଷ ଛକଠୁ ଲାଇଟ୍ହାଉସ୍ ପର୍ଯ୍ୟନ୍ତ ବେଳାଭୂମି ମାର୍ଗ ଅଞ୍ଚଳରେ ସମ୍ପୂର୍ଣ୍ଣ ଚାରିଚକିଆ ଯାନ ଚଳାଚଳା ନିଷେଧ କରାଯାଇଛି । କେବଳ ଯେଉଁ ପର୍ଯ୍ୟଟକମାନେ ହୋଟେଲ ବୁକିଂ ସ୍ଳିପ୍ ଦେଖାଇବେ ସେମାନଙ୍କ ଗାଡ଼ିକୁ ହୋଟେଲ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ ।

Leave a Reply

Your email address will not be published. Required fields are marked *