ନ୍ୟୁଜ ଡେକ୍ସ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସରେ ପ୍ରାଣୀ ଉଦ୍ୟାନର ୬୦(କ) ଖୁଆଡ଼ରେ ରହୁଥିବା ମାଈ ସିମ୍ପାଞ୍ଜି ‘ରାଖି’ ଏକ ଶାବକ ଜନ୍ମ ଦେଇ ଏହି ଖୁସିକୁ ଦ୍ୱିଗୁଣିତ କରିଛି । ଶନିବାର ୧୬ନଂ. ଖୁଆଡ଼ରେ ରହୁଥିବା ହିମାଳୟ ଭାଲୁ ‘ମୁନି’ ଏକ ଶାବକ ଜନ୍ମ ଦେଇଥିଲା । ତେଣୁ ଏହି ଦୁଇଦିନ ନନ୍ଦନକାନନ ଏବଂ ଜନ୍ତୁପ୍ରେମୀଙ୍କ ପାଇଁ ବେଶ୍ ଖୁସିର ଦିନ ହୋଇଛି ।
ପ୍ରକାଶ ଥାଉକି, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୯୯୪ ମସିହାରେ ସିଙ୍ଗାପୁରରୁ ଏକ ମାଈ ଏବଂ ଅଣ୍ଡିରା ସିମ୍ପାଞ୍ଜି ଅଣାଯାଇଥିଲା। ନନ୍ଦନକାନନରେ ୨୦୧୧ ଅଗଷ୍ଟ ୧୨ ତାରିଖରେ ଜନ୍ମିତ ମାଈ ସିମ୍ପାଞ୍ଜି ‘ରାଖି’ର ମିଳନ ଆଜକୁ ୨୧୮ ଦିନ ତଳେ ହୋଇଥିଲା । ଫଳରେ ଗତକାଲି ‘ରାଖି’ ଶାବକ ଜନ୍ମ ଦେଇଛି । ଏହି ଶାବକକୁ ମିଶାଇ ନନ୍ଦନକାନନରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି ।
ସେଥିମଧ୍ୟରେ ୨ଟି ଅଣ୍ଡିରା (ଜୁଲୁ ଓ ରାଜା), ୫ଟି ମାଈ (ପମ୍ପେଟା, ପୂର୍ଣ୍ଣିମା, ରାକ୍ଷୀ, ଦୁର୍ଗା, ଲକ୍ଷ୍ମୀ) ଓ ଆଜି ଜନ୍ମିତ ଶାବକ (ଲିଙ୍ଗ ନିରୂପଣ ହୋଇନି) ଅଛନ୍ତି । ଶାବକଟି ଅଣ୍ଡିରା ହୋଇଥିବ ବୋଲି କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି । ୨୦୧୧ ଅଗଷ୍ଟ ୧୨ରେ ‘ଜୁଲୁ’ ଓ ‘ପୂର୍ଣ୍ଣିମା’ ଔରସରୁ ‘ରାଖି’ ଜନ୍ମ ହୋଇଥିଲା । ରାଖି ପ୍ରଥମେ ୨୦୨୧ ଡିସେମ୍ବର ୨୮ରେ ‘କୁଇନ୍’କୁ ଜନ୍ମ ଦେଇଥିଲା । ତେବେ ୨୦୨୨ ଅଗଷ୍ଟ ୨୨ରେ ୮ମାସ ବୟସରେ ଅସୁସ୍ଥତା ହେତୁ ‘କୁଇନ’ର ମୃତ୍ୟୁ ହୋଇଥିଲା ।
