Thu. Oct 23rd, 2025

ନ୍ୟୁଜ ଡେକ୍ସ: ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ନେଇ ରାଜନୈତିକ ତମ୍ବିତୋଫାନ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟ କର ତଥ୍ୟ। ହତ୍ୟା ତଦନ୍ତରେ ସଂଘାତିକ ତ୍ରୁଟି ଦେଖିବାକୁ ମିଳିଛି। କ୍ରାଇମବ୍ରାଞ୍ଚ ତଦନ୍ତରେ ବଦଳିଯାଇଛି ସାକ୍ଷୀର ସାକ୍ଷ୍ୟ। ଧଳା ହୋଇଯାଇଛି ସାକ୍ଷୀଙ୍କ ହଳଦିଆ ସାର୍ଟର ରଙ୍ଗ। ଏନେଇ ମୁଖ୍ୟ ସାକ୍ଷୀ ଥିବା ଶୁଭେନ୍ଦୁ ପଟ୍ଟନାୟକଙ୍କ ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ବୟାନ ଦେଇଛନ୍ତି ।

କ୍ରାଇମ୍‌ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ, ସେ ନେଇ ପ୍ରଶ୍ନ ଉଠିଛି। ତଦନ୍ତ ବାଟବଣା କରିବାକୁ ସାର୍ଟ ରଙ୍ଗ ବଦଳାଇ ଥିବା ସନ୍ଦେହ କରାଯାଉଛି। ସାକ୍ଷ୍ୟ ରଖିଥିବା ବ୍ୟକ୍ତି ରିପୋର୍ଟରେ କିଛି ଅଲଗା ଲେଖା ଦେଇଛନ୍ତି। ଲିଖିତ ରିପୋର୍ଟରେ ଧଳା ରଂଗ ସାର୍ଟ ଦାଖଲ କରିଥିବା କହିଛନ୍ତି। କିନ୍ତୁ ନବ ଦାସଙ୍କୁ ହତ୍ୟା ଦିନ ସେ ହଳଦିଆ ରଂଗର ସାର୍ଟ ପିନ୍ଧିଥିଲେ। ହଳଦିଆ ରଂଗ ସାର୍ଟରେ ରକ୍ତ ଲାଗିଥିବା ବେଳେ ଧଳା ରଂଗ ସାର୍ଟ କାହିଁକି ଦେଲେ? ଦୋରା ସାର୍‌ ସାକ୍ଷୀଙ୍କ ଉପସ୍ଥିତିରେ ଜବତ ହୋଇଥିବା ଲେଖା ଅଛି।ଅନ୍ୟପଟେ ଭୁବନେଶ୍ବରର ଏକ ହସ୍ପିଟାଲରେ ନବଙ୍କ ସାର୍ଟ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି।

କୋଭିଡ୍‌ ପ୍ରୋଟୋକଲ୍‌ ଅନୁସାରେ ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ନବଙ୍କ ସାର୍ଟ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି। ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି। କାହା ଅନୁମତିରେ ହସ୍ପିଟାଲ କର୍ତ୍ତୃପକ୍ଷ ସାର୍ଟ ପୋଡ଼ିଲେ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *