ନ୍ୟୁଜ ଡେକ୍ସ: ରାଜ୍ୟରେ ଆଜିଠୁ କମିବ ଶୀତ, ଏଣିକି ଧିରେ ଧିରେ ବଢିବ ତାପମାତ୍ରା । ପାରଦ ପ୍ରାୟ ୨ ରୁ ୪ ଡିଗ୍ରୀ ବଢିବ। ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହିବ । ଏହାର ପ୍ରଭାବରେ ରାଜ୍ୟକୁ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସିବ । ଫଳରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପର୍ଯ୍ୟନ୍ତ ୪ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ।
ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରହିଛି। ସେହିପରି ୨୩ ତାରିଖରେ ମଧ୍ୟ ଘନକୁହୁଡ଼ି ଦେଖାଦେବ। ଏଥିପାଇଁ ୩ ଜିଲ୍ଲା କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାନ ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖାଯିବ।
ଗତ ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ଭାବରେ ଜି.ଉଦୟଗିରିରେ ସର୍ବନିମ୍ନ ୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କଟକ ଏବଂ ଭୁବନେଶ୍ୱରରେ ୧୩.୨ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି।
