ନ୍ୟୁଜ ଡେକ୍ସ: ପିଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକା ମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଏହା ଦ୍ବାରା ରାଜ୍ୟରେ କାର୍ଯ୍ୟରତ ଥିବା ୧,୧୨,୦୯୦ ଜଣ ପାଚକ, ପାଚିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ । ଏହି ପାଚକ, ପାଚିକାମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦ ହଜାର ୬୧୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରୁଥିବା ନେଇ ସୂଚନା ଦେଇଛନ୍ତି ।
ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପରିପୂରକ ପୃଷ୍ଟି କାର୍ଯ୍ୟକ୍ରମରେ ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ ପରି ଶସ୍ୟର ପରିବହନ ଖର୍ଚ୍ଚକୁ ମଧ୍ୟ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି ପରିବହନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ସର୍ବାଧିକ ୭୫ଟଙ୍କା ଥିବାବେଳେ ଏବେ ୧୫୦ଟଙ୍କାକୁ ବୃଦ୍ଧି ପାଇଛି ।
