ନ୍ୟୁଜ ଡେକ୍ସ: ଓଡ଼ିଆ ସିନେମା, ଆକାଶବାଣୀ ଓ ଦୂରଦର୍ଶନରେ ଦୀର୍ଘ ୫୦ ବର୍ଷ କାଳ ଛାଇ ରହିଥିବା ତଥା ମିଠା ମିଠା ଗୀତର ସ୍ରଷ୍ଟା ଚିର ସବୁଜ ଗୀତିକାର ସଂଗ୍ରାମ କେଶରୀ ମହାନ୍ତି ଆଉ ନାହାଁନ୍ତି। ଭଞ୍ଜପୁର ସ୍ଥିତ ବାସଭବନରେ ମଙ୍ଗଳବାର ତଥା ଆଜି ସକାଳେ ତାଙ୍କର ପରଲୋକ ହୋଇ ଯାଇଛି । ଏଥି ସହିତ ସବୁଦିନ ପାଇଁ ମୟୂରଭଞ୍ଜ ମାଟିରୁ ଏକ ସାରସ୍ୱତ କୁସୁମଟି ଝରି ପଡିଛି ।
ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଆଜି ବାରୁଣୀଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ବିଧବା ପତ୍ନୀ ଓ ତିନିଜଣ କନ୍ୟା ଅଛନ୍ତି। ସଂଗ୍ରାମ ମହାନ୍ତି ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ। ସେ କିଛି ଦିନ ହେବ ସାମାନ୍ୟ ସୁସ୍ଥ ଅନୁଭବ କରୁଥିଲେ। ଓଡ଼ିଆ ଚଳଚ୍ଚିତ୍ର ଅଭିଳାଷର ସେଇ ଅଭୁଲା ଗୀତ ଝୁମା ଝୁମା ଗୋଲାପୀ ବେଳାରେ ହେଉ କି ଫୁଲ ଚନ୍ଦନ କଥା ଫିଲ୍ମର ମାଇଲ ଷ୍ଟୋନ ଗୀତ କହନା ଏ ଫୁଲ କହନା ହେଉ ଯାହା ଅଗଣିତ ଶବ୍ଦ ଓ ସଂଗୀତ ଶିଳ୍ପୀ ତଥା ତମାମ ଶ୍ରୋତାଙ୍କୁ ଦୀର୍ଘ ଦଶନ୍ଧି ଦଶନ୍ଧି ଆଛନ୍ନ କରି ରଖିଛି । ତାହା ଥିଲା ସ୍ବର୍ଗତଃ ସଂଗ୍ରାମ କେଶରୀ ମହାନ୍ତିଙ୍କ ସଫଳ ଶବ୍ଦ ସଂରଚନାର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ । ୧୯୪୭ ମସିହା ଏପ୍ରିଲ ୧୮ ତାରିଖରେ ଜନ୍ମିତ ଏହି କାବ୍ୟିକ ପ୍ରତିଭାଙ୍କ ଲେଖନୀ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବେଶ ଚଳ ଚଞ୍ଚଳ ଥିଲା ।
ସେ ଥିଲେ ପୂର୍ବତନ ବିଧାୟକ ହରିହର ମହାନ୍ତି ଓ ଶୀତଳ କୁମାର ମହାନ୍ତି ଙ୍କ ସୁପୁତ୍ର। ତାଙ୍କ ପିତାଙ୍କ ନାମରେ ସେ ହରିହର କଳା ମନ୍ଦିର ନାମରେ ଏକ ସଂଗୀତ ଓ ନୃତ୍ୟ ଅନୁଷ୍ଠାନ ଟିଏ ଗଢିଛନ୍ତି । ୧୯୭୧ ମସିହାରେ ସେ କଟକ ଆକାଶବାଣୀର ଜଣେ ଗୀତିକାର ଭାବେ ସ୍ୱୀକୃତି ପାଇ ଆକାଶବାଣୀ ସହିତ ଦୂର ଦର୍ଶନ ଓ ସିନେମା ପାଇଁ ସଂଗୀତ ଲେଖାଲେଖି କରି ଆସୁଥିଲେ । ଓଡ଼ିଆ ଚଳଚିତ୍ର ଫୁଲ ଚନ୍ଦନ, ଅଭିଳାଷ, ଗୋପରେ ବଢୁଛି କଳା କହ୍ନେଇ, ମୋ ମନ ଖାଲି ତୋରି ପାଇଁ, ତୁମେ ହିଁ ସାଥି ମୋର, ଘାଇଲା ବାଘ, ତୁମେ ହିଁ ସାଥି ମୋର ଏମିତି ଅନେକ ସିନେମାରେ ସେ ଜଣେ ସଫଳ ଗୀତିକାର ଭାବେ ଛାପ ଛାଡି ଯାଇ ଛନ୍ତି ।
