ନ୍ୟୁଜ ଡେକ୍ସ: ମୋ ବସ୍ ଧକ୍କାରେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣାରେ କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଇଛି। ଏହାପରେ ସେଠାରେ ଯେଉଁ ସ୍ଥାନୀୟବାସୀ ରାସ୍ତାରୋକ କରିଥିଲେ ସେମାନେ ହଟିଛନ୍ତି। ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣାକୁ ସ୍ୱୀକାର କଲେ କତ୍ତୃପକ୍ଷ।
ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ନନ୍ଦନକାନନ ଥାନା ରଘୁନାଥପୁର ଡ୍ରିମ୍ ଭିଲ୍ଲା ସମ୍ମୁଖରେ ଜଣେ ନାବାଳିକାଙ୍କ ଉପରେ ମୋ-ବସ୍ ଚଢି ଯାଇଥିଲା।ନାବାଳିକା ଜଣଙ୍କ ଘରୁ ସାଇକେଲ୍ରେ ନନ୍ଦନକାନନ ଛକକୁ ଯାଉଥିବା ବେଳେ ମୋ-ବସ୍ଟି ପଛରୁ ଧକ୍କା ଦେଇ ତାଙ୍କୁ ଘୋଷାରି ନେଇଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବାଉଁଶ ବାନ୍ଧି ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରିଥିଲେ। ଏହାପରେ କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି। କ୍ଷତିପୂରଣ ଦେବା ପରେ ରାସ୍ତାରୋକ ହଟିଛି।
କାନ୍ଦବୋବାଳିରେ ପାଟି ପଡିଥିଲା ପରିବେଶ। ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ। ଟାୟାର ଜାଳି ପ୍ରତିବାଦକୁ ଓହ୍ଲାଇଥିଲେ ଲୋକେ। ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଡ୍ରାଇଭର୍ଙ୍କ ଭୁଲ୍ ପାଇଁ ଦୁର୍ଘଟଣା ଘଟିଥିବା କ୍ରୁଟ୍ କର୍ତ୍ତୃପକ୍ଷ ମାନିଛନ୍ତି। ସେପଟେ ମୋ ବସ୍ ଡ୍ରାଇଭର୍ ନନ୍ଦନକାନନ ଥାନାରେ ଆତ୍ମସମର୍ପଣ କରିଛନ୍ତି।
