Thu. Oct 23rd, 2025

ନ୍ୟୁଜ ଡେକ୍ସ: ପାର୍ଶଲ୍ ଆର୍ଡରେ ପଛକୁ ଆସୁଥିବା ବେଳେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ । ମାଲଗୋଦାମ ବସ୍ତିର ପାର୍କିଂରେ ଲାଇନଚ୍ୟୁତ ହୋଇ ରୋଡ୍ ଉପରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍ର ୩ ଟି ବଗି । ଦୁର୍ଘଟଣା ପରେ ମାଲଗୋଦାମ ଫାଟକରୁ ବାସନ୍ତୀ କଲୋନୀ ଯାଏଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ମାଲଗୋଦାମ ବସ୍ତିର ପାର୍କିଂରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି । ସୌଭାଗ୍ୟବଶତଃ ଦୁର୍ଘଟଣାରେ କୌଣସି ଜୀବନହାନି ଘଟି ନାହିଁ । କିନ୍ତୁ ଟ୍ରେନର ଧକ୍କାରେ ଅଧ ଡଜନ ଛୋଟ ଏବଂ ବଡ଼ ଯାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି । ଖବରମୁତାବକ, ମାଲବାହୀ ଟ୍ରେନ୍‌ର ବଗି ସାଇଡିଂ କାନ୍ଥ ଭାଙ୍ଗି ୬୦ ଫୁଟ ରାସ୍ତା ପାର ହୋଇ ଶଙ୍କର ଏବଂ ଖମ୍ମାନ ନାମକ ବ୍ୟକ୍ତିଙ୍କ ଦୋକାନରେ ପ୍ରବେଶ କରିଥିଲା । ଫଳରେ ଦୋକାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।

ଏପଟେ ଦୁର୍ଘଟଣାର ପ୍ରାୟ ଦେଢ଼ ଘଣ୍ଟା ପରେ ରେଳ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।ପ୍ରାଥମିକ ତଦନ୍ତ ଅନୁସାରେ, ଟ୍ରେନ ଡ୍ରାଇଭର ଏବଂ କୁଲିଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏହି ଦୁର୍ଘଟଣା ଘଟିଛି। କିଛି ଲୋକ ଏହାକୁ ଡ୍ରାଇଭରଙ୍କ ଅବହେଳା ବୋଲି ମଧ୍ୟ କହୁଛନ୍ତି। ଏପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ରେଳପ୍ରଶାସନ ଘଟଣାସ୍ଥଳରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିନଥିଲା ।

Leave a Reply

Your email address will not be published. Required fields are marked *