ନ୍ୟୁଜ ଡେକ୍ସ: ଆଜିଠୁ କମିବ ରାତିର ତାପମାତ୍ରା । ଆସନ୍ତା ୩ଦିନ ଯାଏଁ ପାରଦ ୨ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଦୁଇଦିନ ପରେ ଦିନର ତାପମାତ୍ରା ମଧ୍ୟ ସାମାନ୍ୟ କମିବ । ସେପଟେ ଆସନ୍ତା ୮ ତାରିଖରୁ ରାଜ୍ୟରେ ପୁଣି କୁହୁଡ଼ି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଅନ୍ୟପଟେ ଆସନ୍ତା ୮ ତାରିଖରୁ କୁହୁଡ଼ି ପ୍ରଭାବ କମିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଜାରି କରିଛି । ରାଜ୍ୟରେ ବର୍ତ୍ତମାନ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ପ୍ରାୟତଃ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ଉପରେ ଅଛି । ଗୁରୁବାର ୪ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା । ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ, ମାଲକାନଗିରିରେ ୩୫, ଝାରସୁଗୁଡ଼ାରେ ୩୫, ଅନୁଗୁଳରେ ୩୫.୧ ଡିଗ୍ରୀ ଥିଲା । ବରଗଡ଼ ତାପମାତ୍ରା ୩୪.୫, ସମ୍ବଲପୁର ୩୪, ସୁନ୍ଦରଗଡ଼ ୩୪, ବଲାଙ୍ଗୀର ୩୩.୯ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ରାତି ତାପମାତ୍ରା ଉପକୂଳ ଓଡ଼ିଶାରେ ୨୨ରୁ ୨୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ୧୮ରୁ ୨୦ ଡିଗ୍ରୀ ପାଖାପାଖି ଅଛି ରାତିର ତାପମାତ୍ରା । ତେବେ ଆଉ ୩ ଦିନ ଘନ କୁହୁଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

