ନ୍ୟୁଜ ଡେକ୍ସ: ଆଜି ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା। ରାଜ୍ୟର ୧୮ ଲକ୍ଷରୁ ଅଧିକ ଯୋଗ୍ୟା ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ହିତାଧିକାରୀଙ୍କୁ ସହାୟତା ରାଶି ବାଣ୍ଟିବେ ।
ଏହା ସହିତ ସାରା ରାଜ୍ୟରେ ‘ସୁଭଦ୍ରା’ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ । ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ)ରେ ଅକୃତକାର୍ଯ୍ୟ ହୋଇଥିବା ୩ ଲକ୍ଷ ୩୮ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ଏବେ ସୁଦ୍ଧା ୬୮ ହଜାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୮ ତାରିଖ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକା ଥରେ ଦୁଇଟି କିସ୍ତିର ଟଙ୍କା ମିଳିବ । ଯେଉଁମାନେ ପ୍ରଥମ କିସ୍ତି ପାଇ ସାରିଛନ୍ତି ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯେମିତି ସୁଭଦ୍ରା ଟଙ୍କା ମିଳିବ ସେ ନେଇ ପଦକ୍ଷେପ ନିଆଯିବ । ଜଣେ ବି ବାଦ୍ ପଡ଼ିବେ ନାହିଁ ।
ସେଥିପାଇଁ ଆବଶ୍ୟକ ହେଲେ ବାଦ୍ ପଡିଥିବା ହିତାଧିକାରୀମାନଙ୍କୁ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ଭେଟି ସମସ୍ୟାର ସମାଧାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ବଣ୍ଟନ କରାଯିବ । ଏନେଇ ଯାଜପୁରଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ସଂଖ୍ୟା ପୂରଣ ପରେ ରାଜ୍ୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ । ସୁଭଦ୍ରା ଯୋଜନା ମହିଳାମାନଙ୍କ ବିକାଶର ମୂଳ ପିଣ୍ଡ। ଏହି ଯୋଜନା ଆଗାମୀ ଦିନରେ ମହିଳାମାନଙ୍କୁ ଉଦ୍ୟୋଗୀ, ବ୍ୟବସାୟୀ ଭାବେ ଗଢ଼ିତୋଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
