ନ୍ୟୁଜ ଡେକ୍ସ: ଗତ କିଛି ଦିନ ରାଜ୍ୟରେ ଅଚାନକ ଶୀତ ଉଭାନ ହୋଇଯାଇଥିଲା। ମାଘ ମାସରେ ପ୍ରଚଣ୍ଡ ତାତିରେ ସିଝୁଥିଲା ସାରା ଓଡିଶା। ଶୀତ ବଦଳରେ କିଛି ଦିନ ହେବ ଅଧିକ ଖରା ହେବାରେ ଲାଗିଥିଲା। ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା। ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକ ରହୁଛି। ଆଜିଠୁ ରାଜ୍ୟରେ ପୁଣି କୁହୁଡ଼ି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ କିଛି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ନୟାଗଡ଼ , ଜଗତସିଂହପୁର, ଖୋର୍ଦ୍ଧା ଓ କଟକ। ସେହିପରି, ଆଉ କିଛି ଜିଲ୍ଲାରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା, କେନ୍ଦୁଝର, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ ନବରଙ୍ଗପୁର।
ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି। ସେହିପରି ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଏଥିସହ ଗୁରୁଚାପ ବଳୟ ଦେଶର ମଧ୍ୟଭାଗକୁ ସ୍ଥାନାନ୍ତରଣ ହେତୁ ଏହି ପ୍ରକ୍ରିୟା ଆହୁରି ପ୍ରଶମିତ ହୋଇଛି। ପରିଣାମ ସ୍ବରୂପ ଓଡ଼ିଶାର କେତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ତଳ ମୁହାଁ ହୋଇଛି ।
