ନ୍ୟୁଜ ଡେକ୍ସ: ଏବେଠୁ ଖରାର ପ୍ରକୋପ ଦେଖିବାକୁ ମିଳିଲାଣି । ସବୁ ଅଞ୍ଚଳରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି । ଅନେକ ଅଞ୍ଚଳରେ ତାତି ୩୫ ଡିଗ୍ରୀ ଟପିଯାଉଛି । ଫେବ୍ରୁଆରି ମାସରେ ଯଦି ଏତେ ଖରା, ଆଗକୁ ପରିସ୍ଥିତି କ’ଣ ହେବ ତାକୁ ନେଇ ଚିନ୍ତା କରିଛି ଉଚ୍ଚଶିକ୍ଷା ବିଭାଗ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ବିଭିନ୍ନ ପଦକ୍ଷେପ ନେବାକୁ ଏକ ମାର୍ଗଦର୍ଶିକା (ଏସ୍ଓପି) ଜାରି କରିଛି ବିଭାଗ ।
ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ପ୍ରଚୁର ପରିମାଣର ପାନୀୟ ଜଳ ଓ ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପ୍ରାଥମିକ ଚିକିତ୍ସା ସାମଗ୍ରୀ ରଖାଯିବ। ଏନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି। ମଧ୍ୟାହ୍ନ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟମାନେ କୌଣସି ପ୍ରକାରର ଆଉଟଡୋର କାର୍ଯ୍ୟକ୍ରମ କରିପାରିବେ ନାହିଁ ।
ଯାହାବି କାର୍ଯ୍ୟକ୍ରମ କରିବେ କେବଳ ସକାଳ ସମୟରେ । ସେହିପରି ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପାନୀୟ ଜଳ ଏବଂ ଓଆର୍ଏସ୍ ବ୍ୟବସ୍ଥାକୁ ସୁନିଶ୍ଚିତ କରିବେ । ପରିସରରେ ଥିବା ସମସ୍ତ ପାନୀୟ ଜଳ ଟ୍ୟାପ୍, ନଳକୂପର ମରାମତି କରିବେ। କଲେଜ ଓ ପରୀକ୍ଷା କେନ୍ଦ୍ରରେ ଫାଷ୍ଟଏଡ୍ (ପ୍ରାଥମିକ ଚିକିତ୍ସା)ର ବ୍ୟବସ୍ଥା କରିବେ । କଲେଜର ମୁଖ୍ୟ ପିଲାଙ୍କୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ହେବାକୁ ସଚେତନ କରାଇବେ ।
