ନ୍ୟୁଜ ଡେକ୍ସ: କିଟ୍ ଛାତ୍ରୀ ପ୍ରକୃତି ଲାମସାଲ୍ଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକଙ୍କ ଉପସ୍ଥିତିରେ ଶବବ୍ୟବଚ୍ଛେଦ ହୋଇଥିଲା। ଏମ୍ସରେ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବିଳମ୍ବିତ ରାତିରେ ହସ୍ତାନ୍ତର ପରେ ନେପାଳ ନେଇଗଲେ ପରିବାର ଲୋକେ। ନବ ନିର୍ମାଣ ଛାତ୍ର ସଙ୍ଗଠନ ଅନଶନରେ ବସିଛି।
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅନଶନକାରୀଙ୍କ ସହ ଆଲୋଚନା କରି ଦାବିପତ୍ର ନେଇଛନ୍ତି। ୯୦ ପ୍ରତିଶତ ନେପାଳୀ ଛାତ୍ରଛାତ୍ରୀ ଘରକୁ ପଳାଇଛନ୍ତି। ଏବେ କ୍ୟାମ୍ପସ୍ ଫେରିବାକୁ ମୋବାଇଲ୍ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି। ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡ ମାଡ଼ ମାରିବା, ସେମାନଙ୍କୁ ବସ୍ରେ କଟକ ରେଳଷ୍ଟେସନକୁ ନେବା, ଜେନେରାଲ ବଗିରେ ଜବରଦସ୍ତି ପୂରାଇ ନେପାଳ ଫେରିଯିବାକୁ ଧମକ ଦେବା… ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର ଅତି ନିନ୍ଦନୀୟ। ସେମାନଙ୍କ ମାନବ ଅଧିକାର ଉଲ୍ଲଂଘନ ହୋଇଛି । ମାନବ ଅଧିକାର କର୍ମୀ ପ୍ରଦୀପ୍ତ ନାୟକ ଏଭଳି ଅଭିଯୋଗ କରି ରାଜ୍ୟ ମାନବ ଅଧିକାର ଆୟୋଗ (ଓଏଚ୍ଆର୍ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଥାଉକି, ନେପାଳର ବି.ଟେକ୍ ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରକୃତି ଲାମସା(୨୦) ତାଙ୍କ ହଷ୍ଟେଲ୍ ରୁମ୍ରେ ଆତ୍ମହତ୍ୟା କରିଥିଲେ। ତାଙ୍କର ପୁରୁଷ ବନ୍ଧୁ ପ୍ରତାରଣା କରିବା ପରେ ଏପରି ଚରମ ନିଷ୍ପତି ନେଇଥିଲେ ପ୍ରକୃତି। ହଷ୍ଟେଲ୍ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ଏନେଇ ଖବର ଦେବା ପରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଶତାଧିକ ନେପାଳ ଛାତ୍ରଛାତ୍ରୀ ଏକାଠି ହୋଇ ନାରାବାଜି ଆରମ୍ଭ କରିଦେଇଥିଲେ। କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିବା ସହ ରାସ୍ତା ଅବରୋଧ କରିଥିଲେ। ଫଳରେ ବାଧ୍ୟ ହୋଇ ବିଶ୍ୱବିଦ୍ୟାଳୟ ସାଇନ୍-ଏ-ଡାଇ ଘୋଷଣା କରି ତୁରନ୍ତ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ।
