ନ୍ୟୁଜ ଡେକ୍ସ:ରାଜଧାନୀକୁ ଜଗିବ ଏଆଇ କ୍ୟାମେରା। ଭୁବନେଶ୍ଵର ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ ଏହି କ୍ୟାମେରା। ଦୟା ବ୍ରିଜ୍, ଏୟାରଫିଲ୍ଡ ଥାନା ନିକଟବର୍ତ୍ତୀ ସୁନ୍ଦରପଦା-ଜଟଣୀ ରୋଡ୍, ପାତ୍ରପଡ଼ା ଛକ, ଚନ୍ଦକା ଛକ, ନନ୍ଦନକାନନ-ବାରଙ୍ଗ ଛକ, ହଂସପାଳ ଛକ, ପୁରୀ ବାଇପାସ୍ର ସାଇ ମନ୍ଦିର ଛକରେ ଏଆଇ କ୍ୟାମେରା ଲଗାଯିବ।
ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ । ଏନେଇ ସେ କହିଛନ୍ତି, ଟ୍ବିନ୍ ସିଟି କଟକ ଓ ଭୁବନେଶ୍ବରରେ ଏଆଇ କ୍ୟାମେରା ଲାଗିବ । ଟ୍ରାଫିକ ଖିଲାଫକାରୀ ସହ ଅପରାଧୀଙ୍କୁ ବି ଏହି ଉଚ୍ଚମାନର ଏଆଇ କ୍ୟାମେରା ଧରିବ । ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବାକୁ ପୋଲିସ ଗୁରୁତ୍ବ ଦେଉଥିବା ବେଳେ ଖୁବଶୀଘ୍ର ଏଭଳି କିଛି ପଦକ୍ଷେପ ନେବାକୁ ଯାଉଛି । ଲୋକଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ବ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ କରିବା ଉପରେ ଗୁରୁତ୍ବ ଦେଉଛି ପୋଲିସ ।ତେବେ ଏବେ ରାଜଧାନୀ ଭୁବନେଶ୍ବର ତଥା ସିଲଭର ସିଟି କଟକରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ଚୋରି ଡକାୟତି ସାଙ୍ଗକୁ ଗଣ୍ଡଗୋଳ ମଧ୍ୟ ବୃଦ୍ଧି ପାଇଛି । ଦିନ ଦ୍ବିପହରରେ ଲୋକଙ୍କୁ ମୁଣ୍ଡ ଗଣ୍ଡିରୁ ଅଲଗା କରିଦିଆଯାଉଛି । ଯାହା ଏବେ ଟ୍ବିନ୍ ସିଟିର ସୁରକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଇଛି । ତା ଉପରେ ପୁଣି ବେପୁରୁଆ ଗାଡିଚାଳନା । ବେପୁରୁଆ ହୋଇ କିଛି ଲୋକ ଟ୍ରାଫିକ ନିୟମ ନମାନି ଗାଡି ଚଳାଉଛନ୍ତି, ଫଳରେ ଶହ ଶହ ଦୁର୍ଘଟଣା ଘଟୁଛି । ଏବେ ଏ ସବୁ ଉପରେ ନଜର ରଖିବ ଏଆଇ । ଏଆଇ କ୍ୟାମେରା ଦ୍ବାରା ଏମାନଙ୍କୁ ସାବାଡ କରିବାରେ ଏବେ ସଫଳ ହେବେ ପୋଲିସ୍ ବିଭାଗ ।

