ନ୍ୟୁଜ ଡେକ୍ସ: ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ। ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ନବଦାସଙ୍କ ପୁଅ-ଝିଅଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ୍। ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ଦେବାକୁ ଦୀପାଳି ଦାସ୍ ଓ ବିଶାଳ ଦାସଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ। ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନି । ଫାଇନାଲ ଚାର୍ଜସିଟ୍ ଦାଖଲ କରିନି କ୍ରାଇମବ୍ରାଞ୍ଚ ।
କହିରଖୁ କି, ରାଜ୍ୟର ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ମାଗିଥିଲେ ହାଇକୋର୍ଟ । ତଦନ୍ତର ସ୍ଥିତି ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ଦେଇଥିଲେ ନିର୍ଦ୍ଦେଶ । ଫେବୃଆରୀ ୧୯ ସୁଦ୍ଧା ଷ୍ଟାଟର୍ସ ରିପୋର୍ଟ ଦାଖଲ ପାଇଁ କହିଥିଲେ ଅଦାଲତ । ମାମଲାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ପି.ପି. ମହାନ୍ତି ଯାଚିକା ଦାୟର କରିଥିଲେ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।
ସାମାଜିକ କର୍ମୀ ପିନାକପାଣି ମହାନ୍ତିଙ୍କ ଆବେଦନର ଉପରେ ଫେବ୍ରୁଆରି ୧୯ ତାରିଖ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ ବି ନବ ଦାସ ହତ୍ୟା ମାମଲାର ତଦନ୍ତ ଓପନ୍ ଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର । ପୂର୍ବରୁ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ ଦୀପାଳି। ପରିବାର ସହ ଆଲୋଚନା କରି ଏଥିପାଇଁ ଲିଖିତ ଭାବେ ଦେବାକୁ ବି ଦୀପାଳି କହିଥିଲେ ।
