Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜଳିବ ଓଡିଶା । ଆହୁରି ୩ ଡିଗ୍ରୀରୁ ୫ ଡିଗ୍ରୀ ବଢିବ ତାପମାତ୍ରା । ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଇଲା ଏସଆରସିଙ୍କ ଅଫିସ୍‌ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି । ଏଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ର ତାପନ ନେଇ ଆଗୁଆ ସତର୍କତା ଦିବଯାଇଛି ।

କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରି କହିଛନ୍ତି, ୧୫ରୁ ୧୮ ତାରିଖ ଭିତରେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ବର୍ଷା ହୋଇପାରେ । ହିମାଳୟ ଅଞ୍ଚଳରୁ ଅଧିକ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଗତ ତିନି ଦିନ ଧରି ରାଜ୍ୟର ରାତି ତାପମାତ୍ରା କମ୍ ରହୁଥିଲା । ଆସନ୍ତା ୪ ଦିନରେ ସ୍ଥିତି ବଦଳିବ ଓ ଗ୍ରୀଷ୍ମପ୍ରବାହ ହୋଇପାରେ ବୋଲି ସେ କହିଛନ୍ତି । ୧୦ ତାରିଖ ଯାଏ ବଙ୍ଗୋପସାଗର ଆଡୁ ଦକ୍ଷିଣ-ପୂର୍ବ ବାୟୁ ବହିବ । ଏଥିପାଇଁ ପାଣିପାଗ ସ୍ଥିତି ସୁଖଦ ଅନୁଭୂତି ଦେବ । ୯ ଓ ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ସେ ଆକଳନ କରିଛନ୍ତି ।

ଶନିବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୮ଡିଗ୍ରୀ ଥିଲା। ବଲାଙ୍ଗିରରେ ୩୭.୫, ସୁନ୍ଦରଗଡ଼ରେ ୩୭.୧, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ୩୬.୯ ଡିଗ୍ରୀ, ଝାରସୁଗୁଡ଼ାରେ ୩୬.୮, ସୋନପୁରରେ ୩୬.୭, ଟିଟିଲାଗଡ଼ରେ ୩୬.୫, ଭବାନୀପାଟଣାରେ ଦିନ ତାପମାତ୍ରା ୩୬ ଡିଗ୍ରୀ ରହିଥିଲା । ଶୁକ୍ରବାର ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍ ବା ୧୦ ଡିଗ୍ରୀକୁ ଖସିଥିଲା । ଝାରସୁଗୁଡ଼ାରେ ୧୨.୨, ରାଉରକେଲାରେ ୧୨.୫, ଭବାନୀପାଟଣାରେ ୧୩ ଓ ନବରଙ୍ଗପୁରରେ ପାରଦ ୧୪ ଡିଗ୍ରୀ ରହିଥିଲା ।

Leave a Reply

Your email address will not be published. Required fields are marked *