ନ୍ୟୁଜ ଡେକ୍ସ: ଉତ୍ତର ପ୍ରଦେଶର ସମ୍ଭଲ ପୋଲିସ ଐତିହାସିକ ଜାମା ମସଜିଦ ସମେତ ୧୦ଟି ମସଜିଦକୁ ହୋଲି ଦିନ ଘୋଡାଇ ରଖିବାକୁ ନିଷ୍ପତ୍ତି ନେଇଛି। ମାର୍ଚ୍ଚ ମାସ ୧୪ ତାରିଖରେ ଉତ୍ତରପ୍ରଦେଶରେ ହେବାକୁ ଥିବା ଶୋଭାଯାତ୍ରାରେ ରାସ୍ତାରେ ପଡ଼ୁଥିବା ସମସ୍ତ ମସଜିଦକୁ ପୋଲିସ ପ୍ଲାଷ୍ଟିକ୍ ସିଟ୍ ଏବଂ ତାରପାଲିନ୍ ଦ୍ୱାରା ଘୋଡ଼ାଇ ରଖିବାକୁ ନିଷ୍ପତ୍ତି ନେଇଛି। ସେଦିନ ଶୁକ୍ରବାର ହୋଇଥିବାରୁ ମୁସଲମାନ ସଂପ୍ରଦାୟର ଲୋକେ ନମାଜପାଠ କରିବାକୁ ମସଜିଦକୁ ଯିବେ।
ତେଣୁ ଦୁଇ ସଂପ୍ରଦାୟର ଧାର୍ମିକ ଭାବନା ଯେପରି ଅକ୍ଷୁଣ୍ଣ ରହେ, ସେଥିପାଇଁ ସମ୍ଭଲ ସହରରେ ଥିବା ୧୦ଟି ମସଜିଦକୁ ତାର୍ପୋଲିନ ଏବଂ ପ୍ଲାଷ୍ଟିକ ଚାଦରରେ ଢଙ୍କା ଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ପବିତ୍ର ହୋଲି ପର୍ବ ପାଳନ ଅବସରରେ ଉତ୍ତର ପ୍ରଦେଶର ସମ୍ଭଲ ସହରରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ମସଜିଦ ମଧ୍ୟରେ ଜାମା ମସଜିଦ ମଧ୍ୟ ସାମିଲ ରହିଛି। ଦୁଇ ସଂପ୍ରଦାୟ ମଧ୍ୟରେ ଆପୋଷ ବୁଝାମଣା ପରେ ମସଜିଦକୁ ତାର୍ପୋଲିନରେ ଢାଙ୍କିବା ନିଷ୍ପତ୍ତି ନିଆଯାଇଛି ବୋଲି ସମ୍ଭଲ ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଗତବର୍ଷ ନଭେମ୍ବରରେ ସମ୍ଭଲସ୍ଥିତ ଜାମା ମସଜିଦରେ ସର୍ଭେ କାର୍ଯ୍ୟକୁ ନେଇ ସାଂପ୍ରଦାୟିକ ହିଂସାର ସୂତ୍ରପାତ ହୋଇଥିଲା। ପୁଲିସ କାର୍ଯ୍ୟାନୁଷ୍ଠାରେ ୫ ଜଣ ପ୍ରାଣ ହରାଇଥିବାବେଳେ ୨୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣାଧୀନ ହୋଇ ଆସୁଥିବାବେଳେ ଚଳିତ ସପ୍ତାହ ପ୍ରାରମ୍ଭରେ ସମ୍ଭଲରେ ଅବସ୍ଥାପିତ ଜଣେ ପୁଲିସ ଅଧିକାରୀଙ୍କ ବୟାନକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା।
