Thu. Oct 23rd, 2025

ନ୍ୟୁଜ ଡେକ୍ସ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତୃ ବିୟୋଗ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ। ୮୪ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଛାତି ଯନ୍ତ୍ରଣା କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ।

ଅସୁସ୍ଥତା କାରଣରୁ ୬ ଦିନ ପୂର୍ବରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଦିନ ପ୍ରାୟ ସାଢେ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ୧୯୪୧ ମସିହା ଜୁଲାଇ ୧୬ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଦେବେନ୍ଦ୍ର ପ୍ରଧାନଙ୍କ ଜନ୍ମ। ବୃତ୍ତିରେ ଜଣେ ଡାକ୍ତର ଥିବା ଦେବେନ୍ଦ୍ର ରାଜନୀତିକୁ ଆସି ବେଶ୍ ସଫଳତା ପାଇଥିଲେ। ୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ତାଳଚେର ମଣ୍ଡଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୩ରୁ ୧୯୮୫, ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ବିଜେପିର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପରେ ୧୯୮୮ରୁ ୧୯୯୦, ୧୯୯୩ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

ଶେଷରେ ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ । ୧୯୯୮ରେ ଅନୁଷ୍ଠିତ ୧୨ତମ ସାଧାରଣ ନିର୍ବାଚନରେ ଦେବଗଡ଼ରୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଏହାପରେ ୧୩ତମ ସାଧାରଣ ନିର୍ବାଚନରେ ଦେବଗଡ଼ ଆସନରୁ ପୁଣି ଥରେ ସାଂସଦ ଭାବେ ବିଜୟୀ ହୋଇଥିଲେ। ଏଥର ବି ବାଜପେୟୀ ସରକାରରେ ମନ୍ତ୍ରୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *