Sat. Feb 21st, 2026

ନ୍ୟୁଜ ଡେକ୍ସ: ବଦଳିବ ପୂର୍ବ ସରକାରଙ୍କ ମେଟ୍ରୋ ରେଳ ପ୍ରକଳ୍ପ DPR । ତ୍ରିଶୁଳିଆ ନୁହେଁ ବରଂ କଟକ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ପୂର୍ବ ସରକାର ଯେଉଁ ମେଟ୍ରୋର ପରିକଳ୍ପନା କରିଥିଲେ ତ୍ରିଶୁଳିଆ ପର୍ଯ୍ୟନ୍ତ, ତାହାର କାର୍ଯ୍ୟକ୍ଷମ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପର କାର୍ଯ୍ୟକ୍ଷମତାକୁ ନେଇ ମନ୍ତ୍ରୀ କହଛନ୍ତି, ମେଟ୍ରୋର ଆବଶ୍ୟକତା ରହିଛି ।

ପୂର୍ବ ସରକାର ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋର ପରିକଳ୍ପନା କରିଥିଲେ । ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ, କଟକ ଯିବା ଦରକାର । ଏନେଇ କମିଟି ଅନୁଧ୍ୟାନ କରୁଛି । ଟେକ୍ନିକାଲ ଲୋକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରୁଛି । ଏହାପରେ ମେଟ୍ରୋ ପ୍ରକଳ୍ପର ପରିଧିକୁ ଆହୁରି ବିସ୍ତୃତ କରାଯିବ । କଟକ ଯାଏଁ ଚାଲିବ ମେଟ୍ରୋ । ନନ୍ଦନକାନନ ରୋଡ୍ରେ ତିନିଥାକିଆ ରୋଡ୍ ହେବ, ସେଥିରେ ମେଟ୍ରୋ ବି ଚାଲିବ । ଏହି ପ୍ରକଳ୍ପକୁ ବାତିଲ୍ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ଏହି ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

ତେବେ ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ଏହି ମେଟ୍ରୋ ରେଳ ଚଳାଚଳ କରିବ ।ଏହା ମଧ୍ୟରେ ୨୦ଟି ମେଟ୍ରୋ ରେଳ ଷ୍ଟେସନ ରହିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ନେଇ ସୂଚନା ମିଳିଛି । ଏହା ସହ ତ୍ରିଶୁଳିଆରୁ ନନ୍ଦନକାନନ ରାସ୍ତା ପାର୍ଶ୍ବରେ ଥିବା ବଡ଼ ବଡ଼ ଗଛକୁ ମଧ୍ୟ କଟାଯାଇ ରାସ୍ତାକୁ ଚଉଡା କରାଯାଉଛି ।

Leave a Reply

Your email address will not be published. Required fields are marked *