ନ୍ୟୁଜ ଡେସ୍କ: ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍ ପୋଲିସ ବିବାଦ ଘେରକୁ ଆସିଛି। ଏସବୁ ବିବାଦ ମଧ୍ୟରେ ମଙ୍ଗଳବାର ଭରତପୁର ଥାନାରେ ସିସିଟିଭି ଲଗାଯାଇଛି।
୨୫ ସିସିଟିଭି ଲାଗିବାର ବ୍ୟବସ୍ଥା ଥିବାବେଳେ ପ୍ରାରମ୍ଭିକ ଭାବେ ୧୬ଟି ଲଗାଯାଇଛି। ଥାନାରେ ଭିତରେ ଓ ବାହାରେ ଏହି ସିସିଟିଭି ଲାଗିଛି। ଖୁବ୍ ଶୀଘ୍ର ବାକି ସମସ୍ତ ସିସିଟିଭି ଲାଗିବ ବୋଲି ଜଣାପଡ଼ିଛି। ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଚର୍ଚ୍ଚାର ପରିସରକୁ ଆସିଥିଲା ଭରତପୁର ଥାନା। ଏହି ମାମଲା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ସେତେବେଳେ ସିସିଟିଭି ଥାନାରେ ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ଭରତପୁର ଆଦର୍ଶ ଥାନା ହୋଇଥିବା ବେଳେ କିପରି ସେଠାରେ ସିସିଟିଭି ଲାଗି ନାହିଁ ,ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବିଳମ୍ବିତ ରାତିରେ ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବିଚାରବିଭାଗୀୟ ତଦନ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ମୁଖ୍ୟତଃ ୩ଟି ଦିଗ ଉପରେ ତଦନ୍ତ ଆଗେଇବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କିଭଳି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା। ସମ୍ପୂର୍ଣ୍ଣ ଘଟଣାକ୍ରମ କ’ଣ ଥିଲା। କେଉଁ ପରିସ୍ଥିତିରେ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଓ ମାଡମରା ଭଳି ଘଟଣା ଘଟିଲା। ଏହିସବୁ ଘଟଣାର ତଦନ୍ତ କରାଯିବ। ଗତକାଲି ହାଇକୋର୍ଟ ଭରତପୁର ମାମଲାର ଶୁଣାଣି କରିବା ସମୟରେ ରାଜ୍ୟର କେଉଁ ଥାନାରେ ସିସିଟିଭି ଲାଗିଛି ଓ କେଉଁ ଥାନାରେ ସିସିଟିଭି ଲାଗିନାହିଁ ସମସ୍ତ ସ୍ଥିତି ଜଣାଇବାକୁ ଏଡିଜି ଆଧୁନିକୀକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ଭରତପୁର ଥାନାରେ ସିସିଟିଭି ଲାଗିଥିବା ଜଣାଯାଇଛି।
