ନ୍ୟୁଜ ଡେକ୍ସ: ରାଜ୍ୟରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି କାର୍ଯ୍ୟରତ ଅଛନ୍ତି । ଅବଶିଷ୍ଟ ୯ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଦୀର୍ଘ ଦିନ ଧରି ଏହି କୁଳପତି ପଦବିଗୁଡିକ ଖାଲିପଡିଛି ।
କାମଚଳାରେ ପ୍ରଶାସନିକ କାର୍ଯ୍ୟଠାରୁ ନେଇ ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟକ୍ରମ ଚାଲିଛି । ସେହିପରି ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୭ଟି ବିଶ୍ୱବିଦ୍ୟାଳୟରେ ୧୩୫୩ ଅଧ୍ୟାପକ ନାହାନ୍ତି । ଏଠାରେ ମଞ୍ଜୁରିପ୍ରାପ୍ତ ୨୦୨୭ଟି ଅଧ୍ୟାପକ ପଦବି ଥିବା ବେଳେ ସେଥିମଧ୍ୟରୁ ମାତ୍ର ୬୭୪ଟି ପଦବିରେ ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟ କରୁଛନ୍ତି । ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ମୋଟ ୨୮୭୯ ଅଣଶିକ୍ଷକ କର୍ମଚାରୀ ପଦବି ରହିଛି । ସେଥିମଧ୍ୟରୁ ୭୯୮ଟି ପଦବି ପୂରଣ ଥିବା ବେଳେ ୨୦୮୧ଟି ପଦବି ଖାଲିଅଛି । ୮ଟି ବିଶ୍ୱବିଦ୍ୟାଳୟ ଯଥା ଓଡ଼ିଆ ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ କୁଳପତିମାନେ ନିୟମିତ ଭାବେ ନିଯୁକ୍ତି ପାଇ କାର୍ଯ୍ୟାରତ ଅଛନ୍ତି ।
ଦୁଇଟି ବିଶ୍ୱବିଦ୍ୟାଳୟ ଯଥା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ଏବଂ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଅତିରିକ୍ତ ଭାବେ ଦାୟିତ୍ୱରେ ଅଛନ୍ତି ।ବିଧାନସଭାରେ ଉପସ୍ଥାପିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ ବିଧେୟକ, ୨୦୨୪ ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟମାନଙ୍କରେ ନିୟମିତ ଭାବେ କୁଳପତି ପଦବୀ ପୂରଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।
