ନ୍ୟୁଜ ଡେକ୍ସ: ବିଧାନସଭାରେ ୧୨ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣାକୁ ତୀବ୍ର ସମାଲୋଚନା କରିଛି ଯୁବ କଂଗ୍ରେସ । ମଙ୍ଗଳବାର ରାତିରେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇ ଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାତିସାରି ରାଜରାସ୍ତାରେ ଧାରଣା ଦେଇଥିଲେ ବିଧାୟକ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।
ଗତକାଲି ଓଡିଶା ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି। ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ମୋଟ ୧୪ ବିଧାୟକ ମଧ୍ୟରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି। ତେବେ ଉକ୍ତ ବିଧାୟକଙ୍କ ନିଲମ୍ବନ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିବା ବେଳେ ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହୋଇଛନ୍ତି ୧୨ କଂଗ୍ରେସ ବିଧାୟକ।ବିଧାନସଭାକୁ କଂଗ୍ରେସ ମୋଟ ୧୪ ବିଧାୟକ ନିର୍ବାଚିତ ହୋଇ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସସପେଣ୍ଡ କରାଯାଇଛି। ଜୟପୁର ବିଧାୟକ ତାରା ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଛାଡି ସମସ୍ତ ସଦସ୍ୟ ନିଲମ୍ବିତ ହୋଇଥିବା ସୂଚନା ରହିଛି।
ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ, ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲା ସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ରହିଛନ୍ତି।ରାଜ୍ୟରେ ନାରୀଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ୨୭ରେ କଂଗ୍ରେସ ବିଧାନସଭା ଘେରିବ । ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଛି କଂଗ୍ରେସ ।
ପିସିସି ସଭାପତି ଭକ୍ତଚରଣ ଦାସ ଏକ ଭିଡିଓ ବାର୍ତ୍ତା ଜାରି କରି ସମସ୍ତଙ୍କୁ ଏକଜୁଟ ହେବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ଏ ଲଢେଇ ନାରୀଙ୍କ ପାଇଁ । ବାରମ୍ବାର ନାରୀ ଓ ଶିଶୁ ନିଖୋଜ ହେଉଛନ୍ତି । ବିଗତବର୍ଷମାନଙ୍କରେ ୪୪ହଜାର ୮୨୩ ମହିଳା ନିଖୋଜ ଥିବା ବେଳେ ସେଥିମଧ୍ୟରୁ ୮ହଜାର ଶିଶୁ ନିଖୋଜ ରହିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଯାଇଛି ।

