Mon. Dec 23rd, 2024

ନ୍ୟୁଜ ଡେସ୍କ: ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍। ଭରତପୁର ଥାନା ଓ ପଥରଗାଡ଼ିଆ ଯିବ ଟିମ୍। ସୂଚନାଯୋଗ୍ୟ, ଗତକାଲି ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ଝାରପଡ଼ା ଜେଲ୍ରେ ଅଧୀକ୍ଷକ, ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଭେଟିଥିଲା।

ଆହତ ଅବସ୍ଥାରେ ଜେଲ୍କୁ ଆସିଥିବା ପୀଡ଼ିତାଙ୍କର ସେହି ସମୟର ସ୍ବାସ୍ଥ୍ୟାବସ୍ଥା ବାବଦରେ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍ସ ପଠାଗଲା। ଅଥଚ ପୂର୍ବରୁ କ’ଣ ପାଇଁ ତାଙ୍କୁ ଜେଲ୍ରେ ରଖି ଚିକିତ୍ସା କରାଯାଉଥିଲା ବୋଲି ଜାଣିବାକୁ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଖୋଳତାଡ଼ କରିଛି। ବୁଧବାର ସକାଳୁ ପ୍ରଥମେ ଭରତପୁର ଥାନାରେ ସବୁ ଦିଗକୁ ନେଇ ଯାଞ୍ଚ ହୋଇଥିଲା। ସେଦିନ ଥାନାରେ ପୀଡିତା ଓ ମେଜରଙ୍କ ସହ ପ୍ରକୃତରେ କଣ ଘଟିଥିଲା ତାହାର ଯାଞ୍ଚ କରିବା ସହ ତଦନ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଇଛି। ଏହି ସମୟରେ ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୁଲିସ ଉପସ୍ଥିତ ରହିଛନ୍ତି। ଏହାପରେ ପଥରଗାଡିଆ ଅଞ୍ଚଳରେ ଯେଉଁଠି ପୀଡିତା ଓ ମେଜରଙ୍କୁ ଅଟକାଇ ରୋଡ ରୋମିଓମାନେ ଦୁର୍ବ୍ୟବହାର କରିଥିଲେ ସେଠାରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍‌‌ ଯାଞ୍ଚ କରିଛି।

ସୂଚନା ଅନୁସାରେ ଗତ ୧୪ ତାରିଖରେ ଚନ୍ଦକା ପଥରଗାଡିଆ ରାସ୍ତାରେ ରୋଡ ରୋମିଓଙ୍କ ଦ୍ୱାରା ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ନେଇ ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମେଜର ଓ ତାଙ୍କ ବାନ୍ଧବୀ। ହେଲେ ସେଠାରେ ପୁଲିସ ସେମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ ପୀଡିତା।

Leave a Reply

Your email address will not be published. Required fields are marked *